ଇସଲାମାବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ସ୍ଥଗିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଇମ୍ରାନ ପାକିସ୍ତାନକୁ ସମ୍ବୋଧିତ କରିବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା । ତେବେ ତାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଥିବା ପିଟିଆଇ ସିନେଟର ଫୈଜଲ ଜାଭେଦ ଖାନ ସ୍ପଷ୍ଟ କରିଛନ୍ତି ।
କେବେ ଇମ୍ରାନ ଇସ୍ତାଫା ଦେବେ ସେନେଇ ସ୍ପଷ୍ଟ ଜଣାପଡୁ ନଥିବାବେଳେ ଆଜିର ସମ୍ବୋଧନକୁ ସମସ୍ତଙ୍କ ଅପେକ୍ଷା ଥିଲା । ତେବେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହଠାତ ଏପରି ସ୍ଥଗିତ ହେବା ପରେ ପୁଣି ସନ୍ଦେହ ବଢିଛି । ଏମିତିକି ଇମ୍ରାନ ଆଜି ରାତି ସୁଦ୍ଧା ମଧ୍ୟ ଇସ୍ତଫା ଦେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।
ପାକିସ୍ତାନରେ ଇମ୍ରାନ ସରକାରର ସହଯୋଗୀ ଥିବା Muttahida Qaumi Movement Pakistan (MQM) ମେଣ୍ଟ ସରକାରର ହାତ ଛାଡି ସାରିଛି । ପାକିସ୍ତାନର ବିରୋଧୀ ଦଳକୁ MQM ସମର୍ଥନ ଦେଇସାରିଥିବା ବେଳେ ଇମ୍ରାନଙ୍କ ଅନାସ୍ଥାରେ ପଦ ହରାଇବା ଏକପ୍ରକାର ଚିତ୍ର ସ୍ପଷ୍ଟ ହୋଇସାରିଥିଲା । ଏହାରି ମଧ୍ୟ ଦେଶକୁ ସମ୍ବୋଧିତ କରିବେ ବୋଲି ଇମ୍ରାନ ଘୋଷଣା କରିଥିଲେ । ତେବେ ଏହା ଇମ୍ରାନଙ୍କ ଶେଷ ସମ୍ବୋଧନ ହେବା ନେଇ ଅନୁମାନ କରାଯାଉଥିଲା । ତେବେ ସନ୍ଧ୍ୟାରେ ଇମ୍ରାନ ସେନାମୁଖ୍ୟ ଜେନେରାଲ ବାଜଓ୍ବାକୁ ଭେଟିଥିବା ସୂଚନା ରହିଛି ।
ଅନ୍ୟ ଏକ ଚର୍ଚ୍ଚା ମଧ୍ୟରେ ଇମ୍ରାନଙ୍କ ସମ୍ବୋଧନ ନିଷ୍ପତ୍ତି ପରେ ପାକିସ୍ତାନ ଆର୍ମି ଚିଫ ଓ ଗୁଇନ୍ଦା ସଂସ୍ଥା ISI ମୁଖ୍ୟ ଇମ୍ରାନଙ୍କ ସହ ଆଲୋଚନା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି । ମେଣ୍ଟରୁ ସହଯୋଗୀ ଦଳ ହାତ ଛାଡିବା ପରେ ଇମ୍ରାନଙ୍କ ପରେ କିଏ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବ ତାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ବିରୋଧୀ ଦଳର ସଦସ୍ୟ ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ ଶାହବାଜ ସରିଫ ନୂତନ ପ୍ରଧାନମନ୍ତ୍ରୀ ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ