ହାଇଦ୍ରାବାଦ:ଭାରତକୁ ବନ୍ଧୁ ରାଷ୍ଟ୍ର ବୋଲି କହିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ । ସେ ଆଜି ଜାତିସଂଘ ପରିସରରେ ଏକ ପ୍ରେସମିଟକୁ ସମ୍ବୋଧିତ କରିବା ସହ ସମୟରେ ସେ ଭାରତକୁ ବନ୍ଧୁ ରାଷ୍ଟ୍ର ଭାବେ ଅବିହିତ କରିଥିଲେ । ହେଲେ ତାର ମାତ୍ର କିଛି କ୍ଷଣ ମଧ୍ୟରେ ସେ ନିଜର ମନ୍ତବ୍ୟକୁ ଅତି ଚତୁରତାର ସହ ସଂଶୋଧନ କରି ଭାରତ ପାକିସ୍ତାନର ଏକ ପଡୋଶୀ ଦେଶ ବୋଲି କହିଥିବା ଦେଖିବାକୁ ମିଳିଥିଲା ।
ଜାତିସଂଘରେ ଏକ ପ୍ରେସମିଟରେ ବିଲାଓ୍ବଲ କାଶ୍ମୀର ସମ୍ପର୍କିତ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଥିଲେ । କାଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ ବିଲାଓ୍ବଲ କହିଥିଲେ, କାଶ୍ମୀର ପ୍ରସଙ୍ଗକୁ ପାକିସ୍ତାନ ଜାତିସଂଘରେ ମୁଖ୍ୟ ମୁଦ୍ଦା ଭାବେ ମଧ୍ୟ ଉଠାଇଛି । ଏହି ପ୍ରସଙ୍ଗରେ ଆମର ବନ୍ଧୁ ଭାରତ ତାର ଆପତ୍ତି ଉଠାଇ ଆସିଛି । ପରେ ସେ ସେଥିରେ ତୁରନ୍ତ ସଂଶୋଧନ ମଧ୍ୟ କରିଥିଲେ ବନ୍ଧୁ ରାଷ୍ଟ୍ର ପରିବର୍ତ୍ତେ ଭାରତ ପାକିସ୍ତାନର ଏକ ପଡୋଶୀ ଦେଶ ବୋଲି କହିଥିଲେ ବିଲାଓ୍ବଲ । ସେହିପରି ସେ ଏହି ମୁଦ୍ଦାକୁ ଅନ୍ତର୍ଜାତୀୟ ସ୍ତରରେ ମୁଖ୍ୟ ମୁଦ୍ଦା ଭାବେ ଉତ୍ଥାପନ କରିବା ପାଇଁ ପାକିସ୍ତାନ କଠିନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ ବିଲାଓ୍ବଲ । ଆହୁରି ମଧ୍ୟ ସେ କହିଥିଲେ ଯେ, ଏହା ଅନ୍ତର୍ଜାତୀୟ ସମୂଦାୟ ପାଇଁ ବିବାଦୀୟ ପ୍ରସଙ୍ଗ ନୁହେଁ ବୋଲି ଭାରତ ଏକ ନ୍ୟାରେଟିଭ ସୃଷ୍ଟି କରିବାକୁ ପ୍ରୟାସ କରୁଛି ।