ଢାକା: ''ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ (Rohingya migrants big burden on Bangladesh) । ଭାରତ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ପାରିବ । ରୋହିଙ୍ଗ୍ୟାମାନେ ଯେପରି ନିଜ ମାତୃଭୂମିକୁ ଫେରିପାରିବେ ସେଥିପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟର ସହାୟତା ନେଉଛୁ । ପଡୋଶୀ ରାଷ୍ଟ୍ରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରୁଛୁ । ରୋହିଙ୍ଗ୍ୟା ପ୍ରବାସୀ ସମସ୍ୟାର ସମାଧାନ ଭାରତ ହିଁ କରିପାରିବ ।'' ଆଜି ANI ସହ ଏକ ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ଏଭଳି କହିଛନ୍ତି ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ।
ସାକ୍ଷାତକାରରେ ଶେଖ୍ ହସିନା ସ୍ବୀକାର କରିଛନ୍ତି ଯେ, ବାଲାଂଦେଶରେ ଲକ୍ଷ ଲକ୍ଷ ସଂଖ୍ୟକ ରୋହିଙ୍ଗ୍ୟା ପ୍ରବାସୀଙ୍କ ଉପସ୍ଥିତି ତାଙ୍କ ଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ସେମାନେ ଦେଶ ପାଇଁ ଏକ ବଡ ବୋଝ ପାଲଟିଛନ୍ତି । ଭାରତ ଏକ ବିଶାଳ ରାଷ୍ଟ୍ର ହୋଇଥିବା ବେଳେ ସେଠାରେ କମ୍ ସଂଖ୍ୟକ ରୋହିଙ୍ଗ୍ୟା ପ୍ରବାସୀ ଅଛନ୍ତି । ହେଲେ ବାଲାଂଦେଶରେ ୧.୧ ମିଲିୟନ ରୋହିଙ୍ଗ୍ୟା ରହିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସେମାନେ ନିଜ ଘରକୁ ଫେରିବା ଜରୁରୀ ହୋଇପଡିଛି । ଏଥିପାଇଁ କୌଣସି ଠୋସ୍ ପଦକ୍ଷେପ ନେବାକୁ ଅନ୍ତରାଷ୍ଟ୍ରୀୟ ସମୁଦାୟ ଏବଂ ପଡୋଶୀ ରାଷ୍ଟ୍ରମାନଙ୍କ ସହ ପରାମର୍ଶ କରୁଛୁ ବୋଲି ଶେଖ୍ ହସିନା ପ୍ରକାଶ କରିଛନ୍ତି ।