ଶ୍ରୀନଗର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୩ ଦିନିଆ ଗସ୍ତରେ ଜମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଆତଙ୍କବାଦ ପ୍ରସଙ୍ଗରେ ବର୍ଷିଛନ୍ତି ଶାହ । ତେବେ ଶାହଙ୍କ କାଶ୍ମୀର ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଡିପି ମୁଖ୍ୟ ମେହେବୁବା ମୁଫତି । ମେହେବୁବା କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ କେବଳ ଲୋକ ଦେଖାଣିଆ । ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ କାଶ୍ମୀର ଗସ୍ତ ଓ ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ କେନ୍ଦ୍ର ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟକ୍ରମ ହାତକୁ ନେଇନାହିଁ ।
ଏକ ଟୁଇଟ୍ ଜରିଆରେ ମେହବୁବା କହିଛନ୍ତି, ଶ୍ରୀନଗରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଏବଂ ନୂତନ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କିଛି ନୂଆ ପ୍ରକଳ୍ପ ନୁହେଁ । ଅର୍ଦ୍ଧଡଜନରୁ ଉର୍ଦ୍ଧ୍ବ ମେଡିକାଲ କଲେଜକୁ ୟୁପିଏ ସରକାର ଅନୁମୋଦନ କରିଛନ୍ତି ଏବଂ ବର୍ତ୍ତମାନ ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଧାରା 370 ରଦ୍ଦ କରିବା ପରେ ଜମ୍ମୁ କାଶ୍ମୀରରେ ସଙ୍କଟ ସୃଷ୍ଟି ହେବା ସହ ଅରାଜକତା ଲାଗି ରହିଛି ।