ଶ୍ରୀନଗର: ଜଳ ପ୍ରଳୟ ପରେ ପୁଣି ଥରେ କ୍ରମଶଃ ସ୍ବାଭାବିକ ହେବାରେ ଲଗିଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଜଳପ୍ରଳୟରେ 3 ଦିନ ବନ୍ଦ ରହିବା ପରେ ଗତକାଲି (ସୋମବାର) ପୁଣି ଆରମ୍ଭ ହୋଇଥିବା ଯାତ୍ରାରେ ଆଜି 7 ହଜାର ଶ୍ରଦ୍ଧାଳୁ ବାବାଙ୍କ ପବିତ୍ର ଗୁମ୍ଫା ଅଭିମୁଖେ ଯାତ୍ରା କରିଛନ୍ତି । ଏହି ଶ୍ରଦ୍ଧାଳୁମାନେ ଜମ୍ମୁ ସହର ଉପକଣ୍ଠ ଭଗବତୀ ନଗର ବେସ କ୍ୟାମ୍ପରୁ ସକାଳେ ଯାତ୍ରା ଆରମ୍ଭ କରିଛନ୍ତି ।
ଏହି ତୀର୍ଥଯାତ୍ରୀଙ୍କ ବ୍ୟାଚଟି ଚଳିତ ଯାତ୍ରାର 13ତମ ବ୍ୟାଚ । ଜଳ ପ୍ରଳୟ ପରେ ଏହା ସବୁଠୁ ବଡ ତୀର୍ଥଯାତ୍ରୀ ବ୍ୟାଚ ଭାବେ ପଞ୍ଜୀକୃତ ହୋଇଛି । ଆଜି ଯାତ୍ରୀମାନଙ୍କୁ 265 ଗାଡିରେ ଦୁଇଟି ଭିନ୍ନଭିନ୍ନ ନିର୍ଦ୍ଧାରିତ ମାର୍ଗ, ପହଲଗାମ ଓ ବାଲତଲ ଦେଇ ଯାତ୍ରା ପାଇଁ ଅନୁମତି ମିଳିଥିବା ଜମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଆଧାରରେ, ବାଲତାଲ ମାର୍ଗ ଦେଇ 1,949 ଜଣ ପଞ୍ଜୀକୃତ ଶ୍ରଦ୍ଧାଳୁ 98 ଗାଡି ମାଧ୍ୟମରେ ଯାତ୍ରା କରିଥିବା ବେଳେ, ପେହଲଗାମ ମାର୍ଗ ଦେଇ 5,158 ଯାତ୍ରୀ ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଯାତ୍ରା ଆରମ୍ଭରୁ ଏବେ ସୁଦ୍ଧା ମୋଟ 76,662 ତୀର୍ଥଯାତ୍ରୀ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି । ଭିଡ ହ୍ରାସ, ଟ୍ରାଫିକ ଓ ଦର୍ଶନ ବ୍ୟବସ୍ଥିତ ଭାବେ ସାରିବା ପାଇଁ ଗୋଟିଏ ଦିନରେ ଦର୍ଶନ ସାରି ଶ୍ରଦ୍ଧାଳୁ ଫେରିବା ପାଇଁ ମଧ୍ୟ ପ୍ରଶାସନ ନିର୍ଦ୍ଦେଶ ଜାରି କରିଛି ।
43 ଦିନ ବ୍ୟାପୀ ଏହି ଯାତ୍ରାରେ ଅମରନାଥ ଗୁମ୍ଫାରେ ପ୍ରଭୁ ମହାଦେବଙ୍କର ଆର୍ବିଭାବ ହେଉଥିବା ବରଫ ସ୍ବରୂପକୁ ଦର୍ଶନ କରିବା ପାଇଁ ଦେଶବ୍ୟାପୀ ଶ୍ରଦ୍ଧାଳୁମାନେ ଅଂଶଗ୍ରହଣ କରିଥାନ୍ତି । ତେବେ ଗତ ଦୁଇ ବର୍ଷ ଧରି କୋଭିଡ କାରଣରୁ ଯାତ୍ରା ବନ୍ଦ ରହିବା ପରେ ଚଳିତ ବର୍ଷ ଆୟୋଜିତ ହେଇଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପେକ୍ଷାକୃତ ଉତ୍ସାହ ମଧ୍ୟ ବଢିିଛି । ନିକଟରେ ହୋଇଥିବା ବାଦଲ ଫଟା ବର୍ଷା ଓ ଜଳ ପ୍ରଳୟ ଫଳରେ 17 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହେବା ସହ ଯାତ୍ରା 3 ଦିନ ସ୍ଥଗିତ ମଧ୍ୟ ରହିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ