ନୂଆଦିଲ୍ଲୀ:ବର୍ତ୍ତମାନ ବିଶ୍ବକୁ ଘାରିଛି ଓମିକ୍ରନ ଭୟ । ଏବେସୁଦ୍ଧା ୫୯ରୁ ଊର୍ଦ୍ଧ୍ବ ରାଷ୍ଟ୍ରରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇସାରିଛି । ବିଭିନ୍ନ ରାଷ୍ଟ୍ରରେ ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏଯାବତ୍ ବିଭିନ୍ନ ରାଷ୍ଟ୍ରରୁ ମୋଟ ୨,୯୩୬ଟି କେସ୍ ସାମ୍ନାକୁ ଆସିଛି ଏବଂ ୭୮,୦୫୪ଟି ସାମ୍ଭାବ୍ୟ ମାମଲା ଚିହ୍ନଟ ହୋଇଛି, ଯାହାର ଜିନମ୍ ସିକ୍ୟୁଏନ୍ସିଂ ଚାଲିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମସଚିବ ଲଭ ଅଗ୍ରୱାଲ(Lav Agarwal) କହିଛନ୍ତି ଯେ, ନଭେମ୍ବର ୨୪ ସୁଦ୍ଧା ମାତ୍ର ଦୁଇଟି ରାଷ୍ଟ୍ରରେ ଓମିକ୍ରନ ମାମଲା ଠାବ ହୋଇଥିଲା । ହେଲେ ଏହା ଏବେ ୫୯ ରାଷ୍ଟ୍ରକୁ ବ୍ୟାପି ସାରିଲାଣି । ବର୍ତ୍ତମାନ ଭାରତରେ ୨୫ଟି ଓମିକ୍ରନ କେସ୍ ଚିହ୍ନଟ ହୋଇଛି । ଏହି ଆକ୍ରାନ୍ତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି ।