ନୂଆଦିଲ୍ଲୀ: ଦଶମ ଦିନରେ ପହଞ୍ଚିଛି ୟୁକ୍ରେନ-ଋଷିଆ ମହାସମର । ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ ନାଗରିକ । ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ଦେଶରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ଉଦ୍ଧାର ଅପରେସନ ବ୍ୟାପକ କରାଯାଇ ପ୍ରତିଦିନ ସ୍ବତନ୍ତ୍ର ବିମାନ ଯୋଗେ ଶହ ଶହ ନାଗରିକଙ୍କୁ ଭାରତ ଅଣାଯାଉଛି । ମିଶନ ଗଙ୍ଗା ମାଧ୍ୟମରେ ୟୁକ୍ରେନରୁ ଏଯାବତ୍ ୧୧ ହଜାରରୁ ଅଧିକ ଭାରତୀୟ ଦେଶକୁ ଫେରିଥିବା ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ସୂଚନା ଦେଇଛନ୍ତି ।
ଆଜି ମନ୍ତ୍ରୀ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ୧୭୦ ଜଣ ୟୁକ୍ରେନ ଫେରନ୍ତା ଭାରତୀୟଙ୍କୁ ସ୍ବାଗତ କରିଛନ୍ତି । ଟ୍ବିଟ୍ ଯୋଗେ ମନ୍ତ୍ରୀ କହିଛନ୍ତି, ଅପରେସନ ଗଙ୍ଗା ପୂର୍ଣ୍ଣ କ୍ଷମତାରେ ରହିଛି । ଏପର୍ଯ୍ୟନ୍ତ ୧୧୦୦୦ରୁ ଅଧିକ ନାଗରିକଙ୍କୁ ୟୁକ୍ରେନରୁ ଭାରତ ଅଣାଯାଇଛି । ଏୟାର ଏସିଆ ବିମାନ ଯୋଗେ ଦିଲ୍ଲୀରେ ଅବତରଣ କରିଥିବା ୧୭୦ ଭାରତୀୟଙ୍କୁ ସ୍ବାଗତ କରି ଅତ୍ୟନ୍ତ ଖୁସି । ମିଶନ ଗଙ୍ଗା, ଉଦ୍ଧାର କାର୍ଯ୍ୟରେ ସହଯୋଗ କରୁଥିବା ବିଦେଶୀ ରାଷ୍ଟ୍ର ଏବଂ ସ୍ବେଚ୍ଛାସେବୀଙ୍କୁ ମୁରଲୀଧରନ ଧନ୍ୟବାଦ ଦେଇଛନ୍ତି ।