ହାଇଦ୍ରାବାଦ:ଚଳିତ ବର୍ଷ ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ପାଇଁ ତେଲେଙ୍ଗାନାରେ ଶାସନରେ ଥିବା କେସିଆରଙ୍କ ଭାରତ ରାଷ୍ଟ୍ର ସମିତ ଏକକାଳୀନ ସମସ୍ତ 119 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ହେଲେ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଆଗରେ ଏବେ ଟିକେଟ ଆବଣ୍ଟନ ଚିନ୍ତା । କାରଣ ମୋଟ 119 ଆସନ ପାଇଁ ହଜାରରୁ ଅଧିକ ଆଶାୟୀ ଟିକେଟ ଲବିରେ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି । ଏକାଧିକ ମପାଦଣ୍ଡ ଆଧାରରେ ଯୋଗ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଜାରି ରହିଛି । ଖୁବଶିଘ୍ର ପ୍ରଥମ ପ୍ରର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ସହ ଟିକେଟ ବଣ୍ଟନ ଆରମ୍ଭ ହେବା ନେଇ କହିଛନ୍ତି ତେଲେଙ୍ଗାନା AICC ପ୍ରଭାରୀ ମାଣିକ ରାଓ ଠାକରେ ।
ଇଟିଭି ଭାରତକୁ ସବିଶେଷ ତଥ୍ୟ ଦେଇ ମାଣିକ ରାଓ କହିଛନ୍ତି, କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ପାଇଁ ଆଶାୟୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ମୋଟ 119 ଆସନ ପାଇଁ 1,009 ଆଶାୟୀ ପ୍ରାର୍ଥୀଙ୍କର ଆବେଦନ ପ୍ରଦେଶ କଂଗ୍ରେସ କମିଟି ନିକଟରେ ପହଞ୍ଚିଛି । କିଛି ଆସନରେ ଆଶାୟୀଙ୍କ ସଂଖ୍ୟା ପ୍ରାୟ 15 ମଧ୍ୟ ରହିଛି । କିଛି ଆସନରେ ଏହି ସଂଖ୍ୟା ପ୍ରାୟ 6 ରହିଛି । ଯାହା କଂଗ୍ରେସର ଲୋକପ୍ରିୟତାକୁ ଦର୍ଶାଉଛି ।
ତେବେ ଦଳ ଟିକେଟ ପାଇଁ ଆବେଦନ କରିବା ବାବଦକୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କଠାରୁ 50 ହଜାର ଟଙ୍କା ଆପ୍ଲିକେସନ ଫି ଓ ଏସ/ଏସଟି ବର୍ଗର ଆଶାୟୀ ପ୍ରାର୍ଥୀଙ୍କଠାରୁ 25 ହଜାର ଟଙ୍କାର ଆବେଦନ ଫି ନେଉଥିବା ଚର୍ଚ୍ଚା ହେଉଥିଲା । ଏହାକୁ ରାଜ୍ୟ ପ୍ରଭାରୀ ମାଣିକ ରାଓ ଖଣ୍ଡନ କରିଛନ୍ତି । କଂଗ୍ରେସ ଟିକେଟ ଆବେଦନ ପାଇଁ କୌଣସି ଫି୍ ନିଏ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବା ପାଇଁ ଆଶାୟୀଙ୍କ ମଧ୍ୟରେ ଭଲ ରେସପନ୍ସ ରହିଛି । ତେଣୁ ଆଶାୟୀ ସଂଖ୍ୟା ଭଲ ରହିଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରି ଟିକେଟ ମିଳିବା ନେଇ ମାଣିକ ରାଓ କହିଛନ୍ତି ।