ନୂଆଦିଲ୍ଲୀ:ପୁଣି ୪୦ ଦିନିଆ ପାରୋଲରେ ଆସିଛନ୍ତି ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମ ସିଂ । ଗତ ୨୧ ତାରିଖ ଦିନ ସେ ହରିୟାଣାର ରୋହତକ ଜେଲ୍ରୁ ପାରୋଲରେ ବାହାରକୁ ଆସିବା ପରେ କେକ୍ କାଟି ଉତ୍ସବ ମନାଇଛନ୍ତି । ରାମ ରହିମ ଖଣ୍ଡାରେ କେକ କାଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଦୁଷ୍କର୍ମ ଏବଂ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ପରେ ରାମ ରହିମଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇ ରୋହତକ ଜିଲ୍ଲାର ସୁନାରିଆ କାରାଗାରରେ ଜେଲଦଣ୍ଡ ଭୋଗୁଥିବା ବେଳେ ଶନିବାର ଦିନ ରାମ ରହିମଙ୍କୁ ୪୦ ଦିନିଆ ପାରୋଲ ମିଳିବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା । ଏହାପରେ ସେ ଉତ୍ତରପ୍ରଦେଶ ଯାତ୍ରା କରିଥିଲେ । ଏକ ଜାମିନ ଆବେଦନ ପତ୍ରରେ ସେ ଆସନ୍ତାକାଲି ପୂର୍ବତନ ଡେରା ମୁଖ୍ୟ ଶାହ ସତ୍ୟନମ ସିଂଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାହୁଁଥିବା ଉଲ୍ଲେଖ ରହିଥିଲା ।
ତେବେ ପାରୋଲରେ ଆସିବା ପରେ ରାମ ରିହିମ କେକ୍ କାଟିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶୁଣିବାକୁ ମିଳୁଛି ଯେ, ୫ ବର୍ଷ ପରେ ମୁଁ ଏପରି ଉତ୍ସବ ପାଳନ କରିବାର ସୁଯୋଗ ପାଇଥିବାରୁ ଅତି କମରେ ମୁଁ ୫ଟା କେକ କାଟିବି । ଏହା ହେଉଛି ପ୍ରଥମ କେକ । ସେ ଏକ ଖଣ୍ଡାରେ ସେ ସମସ୍ତଙ୍କ ସମ୍ମୁଖରେ କେକ କାଟିଥିଲେ । ଯାହା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ ।
ରାମ ରହିମ ସୋମବାର ଦିନ ହରିୟାଣାର ତଥା ଅନ୍ୟାନ୍ୟ ରାଜ୍ୟରେ ତାଙ୍କ ସମର୍ଥକ ତଥା ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଆୟୋଜିତ ଏକ ମେଗା ସ୍ୱଚ୍ଛତା ଅଭିଯାନର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ କୃଷ୍ଣଲାଲ ପାନୱାର ଏବଂ ପୂର୍ବତନ ମନ୍ତ୍ରୀ କୃଷ୍ଣ କୁମାର ବେଦୀଙ୍କ ସମେତ ହରିୟାଣାର କିଛି ବରିଷ୍ଠ ବିଜେପି ନେତା ଅଂଶଗ୍ରହଣ କରିଥିଲେ ।
ଏହାପୂର୍ବରୁ ରାମ ରହିମ ୨୦୨୨ ଜୁନ ମାସରେ ଏକ ମାସ ପାଇଁ ପାରୋଲରେ ଆସିଥିଲେ । ଗତ ୨୦୦୨ ଡେରା ପରିଚାଳକ ରଣଜିତ ସିଂହ ହତ୍ୟା ମାମଲା ଓ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ରାମ ରହିମ । ଏହାପରେ ଯୌନ ଶୋଷଣ ମାମଲାରେ ରାମ ରହିମଙ୍କୁ ୨୦୧୭ ମସିହା ଅଗଷ୍ଟ ମାସରେ ପଞ୍ଚକୁଲାର ସିବିଆଇ କୋର୍ଟ ଦ୍ବାରା ୨୦ ବର୍ଷ ଦଣ୍ଡିତ କରାଯାଇଥିଲା । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି । ୨୦୧୭ ଅଗଷ୍ଟଠାରୁ ତାଙ୍କୁ ରୋହତକର ସୁନାରିଆ ଜେଲ୍ରେ ରଖାଯାଇଛି ।