ଜୟପୁର: ଦେଶରେ ହିନ୍ଦୁତ୍ବବାଦୀ ରାଜନୀତି କରୁଥିବା ରାଜନୈତିକ ଦଳକୁ କ୍ଷମତାରୁ ହଟାଇବା ଦରକାର । ପ୍ରକୃତ ହିନ୍ଦୁ ସତ୍ୟାଗ୍ରହ ଚାହୁଁଥିବାବେଳେ କ୍ଷମତା ପାଇଁ ହିନ୍ଦୁତ୍ବବାଦୀମାନେ ସତ୍ତାଗ୍ରହ ଚଳାଇଛନ୍ତି । ପ୍ରକୃକ ହିନ୍ଦୁମାନେ, ହିନ୍ଦୁବାଦୀଙ୍କୁ କ୍ଷମତା ଠାରୁ ଦୂରରେ ରଖିବାକୁ ପଡିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଆଜି ରାଜସ୍ଥାନରେ ଆୟୋଜିତ ‘ମେହେଙ୍ଗା ହଟାଓ ’ ରାଲି ମାଧ୍ୟମରେ କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ ।
ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ 'ହିନ୍ଦୁତ୍ବବାଦୀ' କେବଳ କ୍ଷମତା ଦଖଲ କରିବାକୁ ଚାହୁଁଛନ୍ତି । ସେମାନେ ଏହି ପ୍ରସଙ୍ଗ ନେଇ 2014 ଲୋକସଭା ନିର୍ବାଚନ ପରଠାରୁ ଦେଶରେ କ୍ଷମତାରେ ଅଛନ୍ତି । ଆମକୁ ଏହି ହିନ୍ଦୁତ୍ୱବାଦୀଙ୍କୁ କ୍ଷମତାକୁ ଫିଙ୍ଗି ହିନ୍ଦୁମାନଙ୍କୁ ପ୍ରକୃତ ହିନ୍ଦୁତ୍ବକୁ ଫେରାଇ ଆଣିବା ଆବଶ୍ୟକ । ହିନ୍ଦୁତ୍ୱବାଦୀମାନେ କ୍ଷମତାର ସନ୍ଧାନ ପାଇଁ ନୁହେଁ ବରଂ ସତ୍ୟର ସନ୍ଧାନ ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ, କିନ୍ତୁ ବର୍ତ୍ତମାନ ଏହା ଦେଖିବାକୁ ମିଳୁନାହିଁ । ମହାତ୍ମା ଗାନ୍ଧୀ ହିନ୍ଦୁ ଥିଲେ କିନ୍ତୁ ଗଡସେ ହିନ୍ଦୁବାଦୀ ଥିଲେ ବୋଲି ଉଦାହରଣ ଦେବା ସହ ସେ ନିଜେ ହିନ୍ଦୁ କିନ୍ତୁ ହିନ୍ଦୁବାଦୀ ନୁହଁନ୍ତି ବୋଲି କହିଛନ୍ତି ରାହୁଲ ।
ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବା ବ୍ୟକ୍ତି କେବଳ କ୍ଷମତା ଛଡା ଆଉ କିଛି ଚାହାନ୍ତି ନାହିଁ । ଭାରତ ଦେଶ ହିନ୍ଦୁତ୍ୱର ନୁହେଁ ବରଂ ହିନ୍ଦୁମାନଙ୍କର । ବର୍ତ୍ତମାନ ଭାରତୀୟ ରାଜନୀତିରେ 'ହିନ୍ଦୁ' ଏବଂ 'ହିନ୍ଦୁତ୍ବବାଦୀ'ର ଦୁଇଟି ଶବ୍ଦ ମଧ୍ୟରେ ଏକ ପ୍ରକାର ରାଜନୈତିକ ପ୍ରତିଦ୍ବନ୍ଦିତା ଚାଲିଛି, ଯାହାକୁ ପ୍ରକୃତ ହିନ୍ଦୁ ବୁଝିବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି ।