ଅହମ୍ମଦାବାଦ: ବିଧିର ବିଧାନ କେ କରିବ ଆନ । ଦୁନିଆକୁ ଭଲ କରି ବୁଝିବା ଆଗରୁ ଦୁନିଆ ଛାଡି ଚାଲିଗଲା ।ଏତିକି କମ ବୟସରେ କଣ କେହି ଯାଏ । ହେଲେ ଯେଉଁ ଯଶ କିର୍ତ୍ତୀ ରଖିଗଲା ତାହା ତାକୁ ଯୁଗେ ଯୁଗେ ଅମର କରି ରଖିଲା । ଦୁନିଆ ଛାଡି ଯିବା ପୂର୍ବରୁ ସାତଟି ଜୀବନକୁ ଦେଇଗଲା ପୂନଃର୍ଜନ୍ମ ଏକ ଅଢେଇ ବର୍ଷର ଶିଶୁପୁତ୍ର । ଆମେ କହୁଛୁ ଗୁଜୁରାଟର ସୁରତ ଜିଲ୍ଲାର ସେଇ ଶିଶୁପୁତ୍ର ଯଶ ଓଝାର କଥା ।
ମୃତ୍ୟୁ ପରେ ବି ଅମର ଅଢେଇ ବର୍ଷୀୟ ଯଶ ଘଟଣା ଟି ଏମିତି, ନାଁ ଯଶ ଓଝା । ବୟସ ଅଢେଇ ବର୍ଷ । ପଡ଼ୋଶୀଙ୍କ ଘରେ ଖେଳୁଥିବା ବେଳେ ଦ୍ବିତୀୟ ମହଲାର ବାଲକୋନୀରୁ ଖସି ପଡ଼ିଥିଲା। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାକୁ ଡାକ୍ତରମାନେ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହା ପରେ ଶିଶୁଟିର ଅଙ୍ଗଦାନ କରିବାକୁ ମନସ୍ଥ କଲେ ବାପା ମା । ଆଉ ଯଶର ବାପା ମାଙ୍କ ଏହି ନିଷ୍ପତ୍ତି ସାତ ଜଣଙ୍କୁ ଦେଇଛି ନୂଆ ଜୀବନ। ତେବେ ମୃତ୍ୟୁ ପୂର୍ବରୁ ସବୁଠାରୁ କମ୍ ବୟସରେ ଅଙ୍ଗଦାନ କରି ଅଢେଇ ବର୍ଷର ଶିଶୁ ଯଶ ରଖିଲେ ନୂଆ କିର୍ତ୍ତୀମାନ । ସୂଚନା ଅନୁସାରେ ତାଙ୍କର ହୃତପିଣ୍ଡ, ଲିଭର, ଫୁସଫୁସ୍, କିଡନୀ ଓ ଆଖି ଦାନ କରାଯାଇଛି ।ଯଶର ହୃତପିଣ୍ଡ ଓ ଫୁସଫୁସ୍କୁ ବିମାନରେ ଚେନ୍ନାଇ ପଠାଯାଇଥିଲା। ଚେନ୍ନାଇରେ ଚିକିତ୍ସତ ହେଉଥିବା ଋଷିଆର ଜଣେ ୪ ବର୍ଷର ଶିଶୁ ଶରୀରରେ ତାଙ୍କ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି। ସେହିପରି ଫୁସଫୁସକୁ ୟୁକ୍ରେନର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି। ଏହି ୨ଟି ଯାକ ପ୍ରତିରୋପଣ ଚେନ୍ନାଇର ଏକ ହସ୍ପିଟାଲରେ ହୋଇଛି। ସେଠାରେ ଏହି ଦୁଇ ବିଦେଶୀ ଶିଶୁ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ । ସେହିପରି ଯଶର କିଡ୍ନୀ ଦୁଇଟିକୁ ଜଣେ ୧୩ ବର୍ଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ତାଙ୍କ ଲିଭରକୁ ପ୍ରତିରୋପଣ କରି ଏକ ୨ ବର୍ଷର ଝିଅର ଜୀବନ ବଞ୍ଚାଇବାରେ ସଫଳ ହୋଇଛନ୍ତି ଡାକ୍ତର। ଯଶ ଦୁନିଆରୁ ଚାଲିଯାଇଛି ସତ, ହେଳେ ତାର ଏହି ଦାନ ତାକୁ ଦୁନିଆରେ ବଞ୍ଚାଇ ରଖିବ । ଯଶର ମୃ୍ତ୍ୟୁ ସିନା ବାପା ମା ଙ୍କ ଆଖିରେ ଲୁହ ଆଣିଦେଇଛି ସତ ଏବେ କିନ୍ତୁ ଗର୍ବରେ ଓ ଖୁସିରେ ମଧ୍ୟ ଲୁହ ଆସୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ