କୋଲକାତା:କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ରାମନାଥ କୋବିନ୍ଦଙ୍କ ପରେ ରାଷ୍ଟ୍ରପତି ପଦରେ କିଏ ବସିବେ ସେନେଇ ଚାଲିଛି ଅଙ୍କକଷା । ଏହି ନିର୍ବାଚନ ପୂର୍ବରୁ ବିରୋଧିଙ୍କ ମେଳି ପାଇଁ ଆହ୍ବାନ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ପୁଣି ସେତେବେଳେ, ଯେତେବେଳେ କଂଗ୍ରେସ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏକ ସାଧାରଣ ମଞ୍ଚ ଗଢିବାକୁ ଅଣ-ବିଜେପି ଦଳଗୁଡିକ ନିକଟରେ ପହଞ୍ଚିବା ଦିଗରେ ଚେଷ୍ଟା କରୁଛି । ଦିଦି ଆସନ୍ତା ୧୫ ତାରିଖରେ ଅଣବିଜେପି ଶାସିତ ମୁଖ୍ୟମନ୍ତ୍ରୀଙ୍କ ସହ ୨୨ ଜଣ ନେତାଙ୍କୁ ଦିଲ୍ଲୀ ବୈଠକରେ ନିମନ୍ତ୍ରଣ କରିଛନ୍ତି । ଏଥିରେ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବ ସେନେଇ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦିଦିଙ୍କ ଦିଲ୍ଲୀ ଡାକରା ଏବେ ବିରୋଧିଙ୍କ ଏକତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଆସନ୍ତା ୧୫ ତାରିଖରେ ଦିଲ୍ଲୀ ସ୍ଥିତି କନଷ୍ଟିଚ୍ୟୁସନ କ୍ଲବରେ ବିରୋଧି ନେତାଙ୍କୁ ଏକଜୁଟ ହେବା ପାଇଁ ତୃଣମୂଳ ସୁପ୍ରିମ ଆହ୍ବାନ କରିଛନ୍ତି । ଏଥିପାଇଁ ଦିଦି ସମସ୍ତ ଅଣବିଜେପି ଦଳଗୁଡିକୁ ଏକ ପତ୍ର ଲେଖିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲେ ଯେ, ଏକ ସୁଦୃଢ ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଗୋଟିଏ ମଜବୁତ ଏବଂ ପ୍ରଭାବଶାଳୀ ବିରୋଧିର ଦରକାର ଅଛି । ଏହି ପରିପ୍ରେକ୍ଷୀରେ ଦେଶର ସବୁ ପ୍ରଭାବଶାଳୀ ଦଳ ଗଠବନ୍ଧନରେ ରହି ବିଭାଜନକାରୀ ଶକ୍ତିର ବିରୋଧ କରିବାର ଆବଶ୍ୟକତା ରହିଛି । ହେଲେ ମମତାଙ୍କ ଏହି ଚିଠି ଏବେ ଦୁଇ ଦଳ ମଧ୍ୟରେ ତିକ୍ତତା ସୃଷ୍ଟି କରୁଥିବାର ଦେଖାଯାଉଛି ।
ଏହାର କାରଣ ଦିଦିଙ୍କ ଦିଲ୍ଲୀ ବୈଠକ ଦିନ କଂଗ୍ରେସ ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ଏକ ବ୍ୟାକଚ୍ୟାନେଲ ଆଲୋଚନା କରିବାକୁ ଯାଉଛି । ଏଥିସହ ସମାନ ଦିନରେ ଗୋଟିଏ ବାମପନ୍ଥୀ ଏବଂ ଦୁଇ ସହଯୋଗୀ ଦଳଙ୍କ ସହ ଆଲୋଚନ ପାଇଁ ଦିନ ଧାର୍ଯ୍ୟ କରିଛି । ରାଷ୍ଟ୍ରପତି ନିର୍ବାଚନରେ ସର୍ବଦା ବିରୋଧି ଦଳର ନେତୃତ୍ବ ନେବାକୁ ଚାହୁଁଥିବା କଂଗ୍ରେସ ମମତା ବାନାର୍ଜୀଙ୍କ ଦ୍ବାରା ଡକା ଯାଇଥିବା ବୈଠକରେ କୌଣସି ନେତୃତ୍ବ ନେବ ନାହିଁ । ଏହାକୁ ନେଇ ଜଣେ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି, ''ମମତା ବାନାର୍ଜ କାହାର ବିନା ପରାମର୍ଶରେ ମନଇଚ୍ଛା ନିଷ୍ପତ୍ତି ନେଇଛନ୍ତି । ସେ ବୈଠକରେ କୌଣସି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଡାକିନାହାନ୍ତି । ସମସ୍ତଙ୍କ ସହମତିରେ ବିରୋଧିଙ୍କ ପକ୍ଷରୁ ଜଣେ ମାତ୍ର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଉଚିତ୍ ବୋଲି ଆମେ ଭାବୁଛୁ ।