ମୁମ୍ବାଇ:2024 ଲୋକସଭା ନିର୍ବାଚନ ଯେତିକି ପାଖଉଛି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧୀ ଏକତା ଅଭିଯାନ ମଧ୍ୟ ସେତିକି ତ୍ବରିତ ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି (ଗୁରୁବାର) ନୀତିଶ କୁମାର ମହାରାଷ୍ଟ୍ର ଗସ୍ତ କରି ଏନସିପି ମୁଖ୍ୟ ଶରଦ ପାଓ୍ବାର ଓ ଶିବସେନା (ଉଦ୍ଧବ) ଗୋଷ୍ଠୀର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଛନ୍ତି । ପୂର୍ବଥର ପରି ଏଥର ମଧ୍ୟ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ନୀତିଶଙ୍କ ସହ ଅଛନ୍ତି ।
ଉଭୟ ନେତାଙ୍କୁ ଭେଟିବା ପରେ ନୀତିଶ ଗଣମାଧ୍ୟକୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ବିଜେପି ଯାହା କରୁଛି, ତାହା ଦେଶର ସ୍ବାର୍ଥରେ ନୁହେଁ । ଯଦି ମିଳିତ ବିରୋଧୀ ମଞ୍ଚରେ ଶରଦ ପାଓ୍ବାର ମୁଖ୍ୟ ଚେହେରା ହୁଅନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ନୀତିଶ କହିଥିଲେ, ଏହା ଠାରୁ ଆଉ ଖୁସିର କଥା କିଛି ହୋଇନପାରେ । ଦେଶର ସ୍ବାର୍ଥରେ ଅଧିକରୁ ଅଧିକ ବିରୋଧୀ ଏକାଠି ହେଉଛନ୍ତି । ତାହା ଦେଶ ପାଇଁ ନିଶ୍ଚୟ ଭଲ ହେବ ବୋଲି ନୀତିଶ କହିଥିଲେ ।
ଆଲୋଚନା ପରେ ଶରଦ ପାଓ୍ବରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଶରଦ କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନୀତିଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ସ୍ବାଗତ । ଆଜି ମୋର ବାସଭବନରେ ମିଳିତ ବିରୋଧୀଙ୍କର ଏକତାକୁ ସୁଦୃଢ କରିବା ନେଇ ଆଲୋଚନା କଲୁ । ଦେଶର ଗଣତନ୍ତ୍ରକୁ ବଞ୍ଚାଇବାକୁ ହେଲେ ଏକାଠି କାମ କରିବାକୁ ପଡିବ । ଏବେ ଦେଶର ସାମ୍ପ୍ରତିକ ସ୍ଥିତିରେ ଆମେ ଏକାଠି କାର୍ଯ୍ୟ କଲେ ବିକଳ୍ପ ଭାବେ ସାମ୍ନାକୁ ଆସିପାରିବୁ ।’’ ସେହପିରି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହେବାକୁ ଯାଉଥିବା କହିଛନ୍ତି ଶରଦ । କର୍ଣ୍ଣାଟକବାସୀ ବିଜେପିକୁ କ୍ଷମତାରୁ ହଟାଇବେ ଓ ଏକ ନିରେପକ୍ଷ ସରକାର ଗଠନ କରିବା ପାଇଁ ଭୋଟ ଦେଇଥିବା ଶରଦ କହିଛନ୍ତି ।