ନୂଆଦିଲ୍ଲୀ:ହେଲିକପ୍ଟର ଦୁର୍ଘଟଣାରେ CDS ବିପିନ ରାଓ୍ବତଙ୍କ ସମେତ ପ୍ରାଣ ହରାଇଥିବା ସମସ୍ତ ପ୍ରତିରକ୍ଷା ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଜାରି ରଖିଥିବା ପ୍ରତିବାଦ ସ୍ଥଗିତ ରଖିଲେ ବିରୋଧୀ । ଗୃହ ମଧ୍ୟରେ ଓ ବାହାରେ ପ୍ରତିବାଦ ଜାରି ରଖିଥିବା ବିରୋଧୀ ସାଂସଦମାନେ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରି ଦୁଇ ମିନିଟ ନିରବ ପ୍ରାଥନା କରିଛନ୍ତି ।
ଡିଫେନ୍ସ ଷ୍ଟାଫ୍ ମୁଖ୍ୟ ବିପିନ୍ ରାଓ୍ବତ ଏବଂ ଅନ୍ୟ ସେନାଧିକାରୀଙ୍କ ଅକାଳ ମୃତ୍ୟୁ ଦେଶ ପାଇଁ ଏକ ପ୍ରମୂଖ ତଥା ଅପୂରଣୀୟ କ୍ଷତି ବୋଲି କହିଛନ୍ତି ବିରୋଧୀ ସାଂସଦ । ଏହା ରାଜନୈତିକ କିମ୍ବା ଶାସକ ବିରୋଧୀ ମଧ୍ୟ ବିଷୟ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ବଡ ସଙ୍କଟମୟ ସମୟ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ । ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ସମସ୍ତ ପ୍ରତିରକ୍ଷା ସଦସ୍ୟଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛୁ ବୋଲି କହିବା ସହ ଦିବଙ୍ଗତ ଆତ୍ମାଙ୍କ ସଦଗତି କାମନା କରୁଛୁ ବୋଲି କହିଛନ୍ତି ଖଡଗେ ।