ଓଡିଶା

odisha

ETV Bharat / bharat

ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ, ବିଜେପି ଉପରେ ବର୍ଷିଲେ ବିରୋଧୀ - ଟିଏମସି ସାଂସଦ ମହୁଆ ମୋଇତ୍ରା

Opposition reacts on Mahua Moitra expelled: ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ ପରେ ବର୍ଷିଲେ ବିରୋଧୀ । କାର୍ଯ୍ୟାନୁଷ୍ଠାନ ନେଇ ଉଠାଇଲେ ପ୍ରଶ୍ନ । ଅଧିକ ପଢନ୍ତୁ

Mahua Moitra expelled from Lok Sabha
Mahua Moitra expelled from Lok Sabha

By ETV Bharat Odisha Team

Published : Dec 8, 2023, 6:07 PM IST

ନୂଆଦିଲ୍ଲୀ:'କ୍ୟାସ ଫର କ୍ବାରୀ' ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ ହୋଇଛି । ଏହାପରେ ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କଠୁ ଆରମ୍ଭ କରି ଏକାଧିକ ବିରୋଧୀ ନେତା ମୋଇତ୍ରାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି । ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଥିବା ମମତା କହିଥିବା ବେଳେ କଂଗ୍ରେସ ସାଂସଦ ରଜନୀ ପାଟିଲ କହିଛନ୍ତି ଏହି ସରକାର ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ନିୟମ ଆଣୁଛି ।

ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ପରେ ମମତା ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି କହିଛନ୍ତି, "ଆଜି ବିଜେପିର ଏହି ଆଚରଣକୁ ଦେଖି ମୁଁ ଦୁଃଖିତ । ସେମାନେ କିପରି ଗଣତନ୍ତ୍ରର ହତ୍ୟା କରୁଛନ୍ତି ? ସେମାନେ ମହୁଆ ମୋଇତ୍ରାଙ୍କୁ ତାଙ୍କ ପକ୍ଷ ମଧ୍ୟ ରଖିବାକୁ ସୁଯୋଗ ଦେଲେ ନାହିଁ । ଏହା ସମ୍ପୂର୍ଣ୍ଣ ଅନ୍ୟାୟ । ଏହି ଘଟଣାରେ ମହୁଆ ହେଉଛନ୍ତି ପୀଡିତା । ଏହା ବିରୋଧରେ 'ଇଣ୍ଡିଆ' ମେଣ୍ଟ ଓ ଆମ ଦଳ ଲଢେଇ କରିବ । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ । ମହୁଆ ଏହି ଲଢେଇରେ ବିଜୟୀ ହେବେ । ଜନତା ତାଙ୍କୁ ନ୍ୟାୟ ଦେବେ । ଆଗାମୀ ନିର୍ବାଚନରେ ବିଜେପି ଶୋଚନୀୟ ପରାଜୟ ବରଣ କରିବ ।"

ଏହା ବି ପଢନ୍ତୁ- କ୍ୟାସ ଫର କ୍ବାରୀ ମାମଲା, ମହୁଆ ମୋଇତ୍ରା ବହିଷ୍କୃତ

ସେହିପରି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, "ଭିତ୍ତିହୀନ ତଥ୍ୟ ଆଧାରରେ ମହୁଆଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହା କେବଳ ମହୁଆଙ୍କ ବିରୋଧରେ ପ୍ରତିଶୋଧ ନେଇଛି ବିଜେପି । " କଂଗ୍ରେସ ସାଂସଦ ରଜନି ପାଟିଲ କହିଛନ୍ତି, " ଏହି ସରକାର ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ବାହାର କରୁଛି । ଏହି ମାମଲାରେ ପ୍ରଥମେ ପ୍ରମାଣ ଦେଖାଇବା ଉଚିତ୍‌ । ଏହାପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌ । " ଜେଏମଏମ ସାଂସଦ ଡ. ମହୁଆ ମାଜି କହିଛନ୍ତି, " ଏହା ଯେପରି ଭାବେ ହେଲା ତାହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଏଯାବତ ପ୍ରମାଣିତ ହୋଇନାହିଁ । ବିରୋଧୀଙ୍କ ମୁହଁ ବନ୍ଦ କରିବା ଲାଗି ଏହା ଏକ ପ୍ରକାର ଷଡ଼ଯନ୍ତ୍ର ।"

ଏହା ବି ପଢନ୍ତୁ- ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଏଥିକ୍ସ କମିଟିକୁ ନୂଆ ଅସ୍ତ୍ର କରିଛି ବିଜେପି: ମହୁଆ

ବଙ୍ଗ ମନ୍ତ୍ରୀ ତଥା ଟିଏମସି ନେତ୍ରୀ ଡ. ଶାଶି ପାଞ୍ଜା କହିଛନ୍ତି," ଜଣେ ମହିଳାଙ୍କୁ କ୍ଷମତାରେ ଦେଖି ବିଜେପି ସହ୍ୟ କରି ପାରୁନାହିଁ । ବିଜେପି କିପରି ଭାବି ନେଉଛି ମହୁଆଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ତାଙ୍କ ମୁହଁ ବନ୍ଦ କରିଦେବ । ସେ ବିଜେପି ବିରୋଧରେ ସ୍ବର ଉତ୍ତୋଳନ କରିବା ପରେ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । " କଂଗ୍ରେସ ସାଂସଦ ମଣିକମ ଟାଗୋର କହିଛନ୍ତି, " ନୂଆ ପାର୍ଲାମେଣ୍ଟ ଓ ନୂଆ ନିୟମ । ଯିଏବି ଅଦାନି ବିରୋଧରେ କହିବ ତା ମୁହଁ ବନ୍ଦ କରିବାକୁ ଉଦ୍ୟମ କରାଯିବ । ମହୁଆ ମୋଇତ୍ରା ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ । ତାଙ୍କୁ ନିଜ ପକ୍ଷ ମଧ୍ୟ ରଖିବାକୁ ଦିଆଗଲା ନାହିଁ । ଯାହାକି ଉଚିତ ନୁହେଁ ।"

ବିଜେପି ରଖିଲା ପ୍ରତିକ୍ରିୟା:ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, " ମୁଁ ବି ଜଣେ ମହିଳା । ସେ ମହିଳା ହୁଅନ୍ତି କି ପୁରୁଷ, ସଂସଦରେ ଆମେ ଜଣେ ଜଣେ ସାଂସଦ । ମହୁଆ ମୋଇତ୍ରା ସଂସଦର ନିୟମ ଭଙ୍ଗ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଯଦି ବିରୋଧୀ ଏହାକୁ ସମର୍ଥନ କରୁଛନ୍ତି, ତେବେ ସେମାନେ ଭୁଲର ସମର୍ଥନ କରୁଛନ୍ତି ।" ବିଜେପି ସାଂସଦ ଲକେଟ ଚାଟାର୍ଜୀ ପ୍ରତିକ୍ରିୟା ରଖି କହିଛନ୍ତି, " ଜାତୀୟ ସୁରକ୍ଷା କଥା ଆସିଲେ କୌଣସି ପ୍ରକାର ରାଜନୀତି ହୋଇନଥାଏ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details