ନୂଆଦିଲ୍ଲୀ: ସଂସଦ ବଜେଟ ଅଧିବେଶନର ଶେଷ ଦିନରେ ଆଦାନୀ ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧି । ବିରୋଧି ଦଳ ସାଂସଦମାନେ ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ତଦନ୍ତ ଦାବି କରି ଆଜି ସଂସଦରୁ ବିଜୟ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ମାର୍ଚ୍ଚ ବାହାର କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଓ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟାନ୍ୟ ବିରୋଧି ଦଳ ସାଂସଦମାନେ ହାତରେ ତ୍ରିରଙ୍ଗା ପତାକା ଧରି ପାର୍ଲାମେଣ୍ଟରୁ ପଦଯାତ୍ରା ଚଳାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ଏଥିରେ ସାମିଲ ହୋଇ କହିଛନ୍ତି, ସରକାର ନିଜେ ସଂସଦ ଚଳାଇ ଦେଉନାହାନ୍ତି । କାହିଁକି ସେମାନେ ଆଦାନୀ ଗ୍ରୁପ ଜାଲିଆତି ପ୍ରସଙ୍ଗରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଉଛନ୍ତି ।
ଆଜି ସଂସଦ ବଜେଟ ଅଧିବେଶନର ଶେଷ ଦିନ ଥିବାବେଳେ ଆରମ୍ଭରୁ ବିରୋଧିଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରି ନାହିଁ । ଅଧିବେଶନ ଆରମ୍ଭ ଦିନରୁ ବାରମ୍ବାର ଗୃହ ମୁଲତବୀ ରହିଛି । ଆଜି ଶେଷ ଦିନରେ ମଧ୍ୟ ଗୃହରେ ବିରୋଧି ସଦସ୍ୟ ଆଦାନୀ ପ୍ରସଙ୍ଗ ଉଠାଇ ହୋ ହଲ୍ଲା କରିଥିଲେ । ଯୁଗ୍ମ ସଂସଦୀୟ କମିଟି ଏହି ମାମଲାର ତଦନ୍ତ କରୁ ବୋଲି ଦାବି କରିଥିଲେ । ଅନ୍ୟପଟେ ରାହୁଲ ଗାନ୍ଧୀ ଲଣ୍ଡନ ବୟାନକୁ ନେଇ କ୍ଷମା ଦାବି କରିଥିଲା ବିଜେପି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଶେଷରେ ଲୋକସଭାକୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ମୁଲତବୀ ରଖାଯାଇଛି ।