ନୂଆଦିଲ୍ଲୀ:ସଂସଦରେ ଜାରି ରହିଛି ଆଦାନୀ ଝଡ । ଆସନ୍ତାକାଲି(ସୋମବାର) ସମସ୍ତ ବିରୋଧୀ ଦଳର ଫ୍ଲୋରଲିଡରଙ୍କ ଏକ ବୈଠକ ସଂସଦ ଭବନ ପରିସରରେ ହେବାକୁ ଯାଉଛି । ପୂର୍ବାହ୍ନ ପ୍ରାୟ ସାଢେ 9ଟାରେ ଏହି ମିଳିତ ବୈଠକ ହେବାକୁ ସମୟ ଧାର୍ଯ୍ୟ ହୋଇଛି । ଏଥିରେ ସମସ୍ତ ବିରୋଧୀ ଦଳର ଲୋକସଭା ଓ ରାଜ୍ୟସଭାର ଫ୍ଲୋରଲିଡର ଅଂଶଗ୍ରହଣ କରିବେ । ବୈଠକରେ ଏକ ମିଳିତ ରଣନୀତି ନେଇ ଆଲୋଚନା ହେବ । ଆଲୋଚନା ପରେ ସେମାନେ ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ପ୍ରତିବାଦ କରିବା ନେଇ ମଧ୍ୟ ସୂଚନା ମିଳିଛି ।
ବଜେଟ ଉପସ୍ଥାପନ ହେବାପରେ ସଂସଦରେ ଆଦାମୀ ଗ୍ରୁପ ଷ୍ଟକ କ୍ରାସ ପ୍ରସଙ୍ଗରେ ବିରୋଧୀରେ ହୋହାଲ୍ଲା କରିଥିଲେ । ଗୃହକାର୍ଯ୍ୟ ଆଗେଇ ପାରୁନି । ଆଦାନୀ ଷ୍ଟକ୍ କ୍ରାସ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଦାବି କରୁଛନ୍ତି ବିରୋଧୀ । ଶନିବାର କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବରେ ବିରୋଧୀ ଦଳର ନେତାମାନେ ଆଦାନୀ ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଆଦନୀ ଗ୍ରୁପ ସାଧାରଣ ଲୋକଙ୍କ ହଜାରହଜାର କୋଟି ଟଙ୍କା ଠକି ଥିବା ଅଭିଯୋଗରେ ଆଦନୀ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି ମଧ୍ୟ କରିଥିଲେ । ଏହି ହଟ୍ଟଗୋଳ ଫଳରେ ଶୁକ୍ରବାର ଏବଂ ଶନିବାର ସଂସଦର ଉଭୟ ଗୃହକୁ ସ୍ଥଗିତ ରଖିବାକୁ ପଡିଥିଲା । ବିରୋଧୀ ଦଳର ନେତାମାନେ ମିଳିତ ସଂସଦୀୟ କମିଟି (ଜେପିସି) କିମ୍ବା ଆଦାନୀ କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗର ତଦାରଖ ସୁପ୍ରିମକୋର୍ଟଙ୍କ ଦ୍ବାରା କରାଇବା ପାଇଁ ଦାବି କରିଥିଲେ ।