ଓଡିଶା

odisha

By ETV Bharat Odisha Team

Published : Aug 31, 2023, 8:02 AM IST

ETV Bharat / bharat

Opposition Meet: ଆଜି ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ, ଯୋଗ ଦେବେ ୨୮ ଦଳ

ଆଜିଠୁ ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆର ଦୁଇ ଦିନିଆ ବୈଠକ ଆରମ୍ଭ ହେବ । ସାମିଲ ହେବେ ୨୮ ବିରୋଧୀ ଦଳ । ବୈଠକରେ ମେଣ୍ଟର ଲୋଗୋ ଉନ୍ମୋଚନ ହେବା ନେଇ ସୂଚନା । ଅଧିକ ପଢନ୍ତୁ

ଆଜି ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ଇଣ୍ଡିଆ ବୈଠକ
ଆଜି ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ଇଣ୍ଡିଆ ବୈଠକ

ମୁମ୍ବାଇ: ୨୦୨୪ ନିର୍ବାଚନ ପାଖେଇ ଆସୁଥିବାରୁ ଦେଶରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ବିଜେପି ସରକାରକୁ କେନ୍ଦ୍ରରୁ ହଟାଇବା ପାଇଁ ବଳ କଷୁଛନ୍ତି ବିରୋଧୀ । ଏହି ପରିପ୍ରେକ୍ଷୀରେ ଆଜି(ଗୁରୁବାର) ମୁମ୍ବାଇରେ ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଆଜିଠୁ ଦୁଇ ଦିନ ଧରି ବୈଠକ ବସିବ । ଏଥିରେ ୨୮ଟି ରାଜନୈତିକ ଦଳର ୬୩ ଜଣ ପ୍ରତିନିଧି ଯୋଗ ଦେବା ନେଇ ସୂଚନା ରହିଛି । ଏହି ବୈଠକରେ ମେଣ୍ଟର ସାମିଲ ଥିବା ଦଳ ଗୁଡିକ ମଧ୍ୟରେ ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ହୋଇପାରେ । ଏଥିସହ ଇଣ୍ଡିଆ ମେଣ୍ଟର ଲୋଗୋ ଉନ୍ମୋଚନ ହେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ମୁମ୍ବାଇର ହୋଟେଲ ଗ୍ରାଣ୍ଡ ହାୟାତରେ ବୈଠକ ବସିବ । ଶିବସେନା(UBT) ମୁଖ୍ୟ ଉଦ୍ଧବ ଠାକରେଙ୍କ ଦ୍ବାରା ଆୟୋଜିତ ରାତ୍ରିଭୋଜନ ପରେ ବୈଠକ ଆରମ୍ଭ ହେବ । ତେବେ ସେପ୍ଟେମ୍ବର ୧ରେ(ଆସନ୍ତାକାଲ) ଔପଚାରିକ ଭାବେ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ନେତୃତ୍ବରେ ବିରୋଧୀ ମହାମେଣ୍ଟର ପ୍ରଥମ ବୈଠକ ବିହାରର ପାଟନାରେ ବସିଥିଲା । ଦ୍ବିତୀୟଟି ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା, ଏଥିରେ ମେଣ୍ଟର ନାମ INDIA ରଖାଯାଇଥିଲା । ବେଙ୍ଗାଲୁର ବୈଠକରେ ୨୬ ଦଳ ଯୋଗ ଦେଇଥିବା ବେଳେ ମୁମ୍ବାଇ ବୈଠକରେ ୨୮ଟି ବିରୋଧୀ ଦଳ ସାମିଲ ହେବା ନେଇ ଦିନକ ପୂର୍ବରୁ ଏନସିପି ନେତା ଶରଦ ପାୱାର ଘୋଷଣା କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Mamata at Mumbai: ମେଣ୍ଟ ସମ୍ମିଳନୀ ପୂର୍ବରୁ ବିଗ ବିଙ୍କୁ ଭେଟିଲେ, ଉଦ୍ଧବଙ୍କୁ ରାକ୍ଷୀ ବାନ୍ଧିଲେ

ସାମିଲ ହେବେ ଏହିସବୁ ନେତା: ଆଜିର ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡେଗ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, କଂଗ୍ରେସ ନେତା ମିଲିନ୍ଦ ଦେଓରା, ଅଶୋକ ଚାଭନ, ମହାରାଷ୍ଟ୍ର ପିସିସି ସଭାପତି ନାନା ପାଟୋଲେ, ଏନସିପି ମୁଖ୍ୟ ଶରଦ ପାୱର, ତାଙ୍କର ଝିଅ ତଥା ଏନସିପି କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ, ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ, ସଞ୍ଜୟ ରାଉତ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ପ୍ରମୁଖ ଯୋଗ ଦେବେ ।

ମେଣ୍ଟର ସଂଯୋଜକ ନାମ ଘୋଷଣା: ଦୁଇ ଦିନିଆ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ମେଣ୍ଟରେ ସାମିଲ ଥିବା ଦଳଗୁଡିକ ମଧ୍ୟରେ ଆସନ ବୁଝାମଣା ସଂକ୍ରାନ୍ତରେ ଆଲୋଚନା ହୋଇପାରେ । ଏହାସହିତ ମେଣ୍ଟର ସଂଯୋଜକଙ୍କ ନାମ ମଧ୍ୟ ଘୋଷଣା ହେବାର ସୂଚନା ରହିଛି । ବୈଠକ ସରିବା ପରେ ମେଣ୍ଟର ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀ କରିବେ ।

ABOUT THE AUTHOR

...view details