ନୂଆଦିଲ୍ଲୀ:ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟ ନିଜର ମିଡିଆ ରଣନୀତି ପ୍ରସ୍ତୁତି କରିଛି । 14 ଟେଲିଭିଜନ ଆଙ୍କରଙ୍କ ତର୍କ କାର୍ଯ୍ୟକ୍ରମକୁ ବର୍ଜନ କରିଛି ମେଣ୍ଟ । ଏହି କାର୍ଯ୍ୟକ୍ରମରେ ମେଣ୍ଟର କୌଣସି ମୁଖପାତ୍ର କିମ୍ବା ନେତା ଅଂଶଗ୍ରହଣ କରିବେ ନାହିଁ । ତେବେ ବିରୋଧୀ ମେଣ୍ଟର ଏହି ନୀତିକୁ ବିଜେପି ସାମାଲୋଚନା କରିଛି । ଏହାକୁ ଜରୁରୀକାଳୀନ ସ୍ଥିତି ସହ ଭାରତୀୟ ଜନତା ପାର୍ଟି ତୂଳନା କରିଛି । ସେହିପରି ନ୍ୟୁଜ୍ ବ୍ରୋଡକାଷ୍ଟର୍ସ ଏବଂ ଡିଜିଟାଲ୍ ଆସୋସିଏସନ୍ (ଏନବିଡିଏ) ମଧ୍ୟ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛି । ଏହି ନିଷ୍ପତ୍ତି ଏକ ବିପଜ୍ଜନକ ଉଦାହରଣ ଏବଂ ଏହା ଗଣତନ୍ତ୍ରର ନୈତିକତା ବିରୋଧୀ ବୋଲି ଏନବିଡିଏ କହିଛି ।
ମେଣ୍ଟର ଗଣମାଧ୍ୟମ କମିଟି ଏହି ନିର୍ଦ୍ଦିଷ୍ଟ ସାମ୍ବାଦିକମାନଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବା ତଥା ସେମାନଙ୍କ ପ୍ରତିନିଧୀଙ୍କୁ ଏହିପରି ଚ୍ୟାନେଲ କିମ୍ବା ପ୍ଲାଟଫର୍ମରେ ଆୟୋଜିତ ବିତର୍କ କାର୍ଯ୍ୟକ୍ରମକୁ ନପଠାଇବା ପାଇଁ ନିଷ୍ପତ୍ତି ନେଇଛି । ବିରୋଧୀ ମେଣ୍ଟର ଗଣମାଧ୍ୟମ କମିଟିର ଏକ ବିବୃତ୍ତି ଅନୁଯାୟୀ, ଏପରି ସାମ୍ବାଦିକମାନଙ୍କ ନାମ ତାଲିକାଭୁକ୍ତ ଭାବେ ଦର୍ଶାଇଛି । ଏହି ତାଲିକାରେ ଦେଶର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ତଥା ଟେଲିଭିଜନ ଆଙ୍କର ରହିଛନ୍ତି ।
ଏହି ତାଲିକାରେ ଆଦିତ୍ୟ ତ୍ୟାଗୀ (ଭାରତ ଏକ୍ସପ୍ରେସ), ଅମନ ଚୋପ୍ରା (ନ୍ୟୁଜ୍-18 ଭାରତ), ଅମିଷ ଦେବଗନ୍ (ନ୍ୟୁଜ୍ 18 ଇଣ୍ଡିଆ), ଆନନ୍ଦ ନରସିଂହନ୍ (ନ୍ୟୁଜ୍ 18), ଅର୍ଣ୍ଣବ ଗୋସ୍ୱାମୀ (ରିପବ୍ଲିକ ଟିଭି ), ଚିତ୍ରା ତ୍ରିପାଠୀ (ଆଜତକ), ଗୌରବ ସାୱନ୍ତ (ଅଜତକ), ନବିକା କୁମାର ( ଟାଇମ୍ସ ନାଓ / ନବଭାରତ), ପ୍ରସି ପର୍ଶର (ଇଣ୍ଡିଆ ନ୍ୟୁଜ୍), ରୁବିକା ଲିଆକତ (ଇଣ୍ଡିଆ-24), ଶିବ ଆରୋର (ଇଣ୍ଡିଆ ଟୁଡେ), ସୁଧୀର ଚୌଧୁରୀ (ଆଜତକ) ଏବଂ ସୁଶାନ୍ତ ସିହ୍ନା (ଟାଇମ୍ସ ନାଓ /ନବଭାରତ) ପ୍ରମୁଖ ରହିଛନ୍ତି ।