ଭୋପାଲ:ମଧ୍ୟ ପ୍ରଦେଶର ଉଜ୍ଜୈନର ପ୍ରସିଦ୍ଧ ମହାକାଳ ଲୋକ କରିଡରରେ ପ୍ରବଳ ବର୍ଷା ଓ ପବନରେ 6ଟି ମୂର୍ତ୍ତି କ୍ଷତିଗ୍ରସ୍ତ ହେବା ଘଟଣାକୁ ସହଜରେ ଗ୍ରହଣ କରିପାରିନି ବିରୋଧୀ କଂଗ୍ରେସ । ଏହି ପ୍ରକଳ୍ପରେ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ ସାମାନ୍ୟ ବର୍ଷା ଓ ପବନରେ ଏହି ମୂର୍ତ୍ତିଗୁଡିକ ଭାଙ୍ଗି ପଡିଲା । ଏହି ପ୍ରକଳ୍ପ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଛି, ଯାହାର ତଦନ୍ତ ହେବା ଆବଶ୍ୟକ ବୋଲି ଦଳ ଦାବି କରିଥିଲା । ଏବେ ଦଳ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରି ତଦନ୍ତ ପାଇଁ ପଠାଇବ ।
ପ୍ରଦେଶ କଂଗ୍ରେସ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଗଣମାଧ୍ୟମ ପରାମର୍ଶଦାତା ପିୟୁଷ ବାବେଲେ ଖବର ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇ କହିଛନ୍ତି, ଦଳ 7 ଜଣିଆ ଅନୁଧ୍ୟାନ କମିଟି ଗଠନ କରିଛି । ଏଥିରେ 5ଜଣ ବିଧାୟକଙ୍କ ସହ ଦଳର 2 ବରିଷ୍ଠ ନେତା ରହିଛନ୍ତି । ଏହି କମିଟି ଲୋକ କରିଡର ପରିଦର୍ଶନ କରିବା ସହ ସ୍ଥିତି ସମ୍ପର୍କରେ ପ୍ରଦେଶ କମିଟିକୁ ରିପୋର୍ଟ ହସ୍ତାନ୍ତର କରିବ । କେଉଁ ପରିସ୍ଥିତିରେ ଏପରି ଘଟିଲା ସେନେଇ ରିପୋର୍ଟ ମିଳିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବ ଦଳ । ଅନ୍ୟପଟେ ଏହି କାର୍ଯ୍ୟ ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କୁ କଷ୍ଟ ଦେଇଛି । ଯିଏ ଏହି ଦୂର୍ନୀତିରେ ସାମିଲ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ତୁରନ୍ତ ଏହି କରଡିରରେ ନୂତନ ମୂର୍ତ୍ତି ସ୍ଥାପନ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ମୁଖ୍ୟ କମଲନାଥ ଶିବରାଜ ସିଂ ଚୌହାନ ସରକାର ନିକଟରେ ଦାବି କରଛନ୍ତି ।