ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସରକାର ଆରମ୍ଭ କରିଥିବା ‘ଅପରେସନ ଅଜୟ’ ସଫଳତାର ସହ ଆଗକୁ ବଢୁଛି । ଆଜି ଏହି ଅପରେସନରେ 18 ନେପାଳ ନାଗରିକଙ୍କ ସମେତ ମୋଟ 286 ଜଣ ଭାରତ ଫେରିଛନ୍ତି । ଏନେଇ ବିଦେଶ ମନ୍ତ୍ରୀ ଜୟଶଙ୍କର ‘ଏକ୍ସ’ରେ ଟ୍ବିଟ କରି ସୂଚନା ଦେଇଛନ୍ତି । ଆଜି ଏହି ବିମାନ ଭାରତୀୟ ଓ ନେପାଳ ନାଗରିକଙ୍କୁ ଧରି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ସ୍ବଦେଶ ଫେରିଥିବା ସମସ୍ତେ ଖୁସି ବ୍ୟକ୍ତ କରିବା ସହ ହାତରେ ତ୍ରିରଙ୍ଗା ଧରି ‘ଭାରତ ମାତା କି ଜୟ’ ନାରା ଦେଇଥିଲେ ।
ଆଜିକୁ ମିଶାଇ ମୋଟ 5 ଟି ବିମାନ ଏହି ଅପରେସନରେ ଭାରତୀୟଙ୍କୁ ଧରି ଫେରି ସାରିଲାଣି । ରବିବାର ଅପରେସନର 4ର୍ଥ ବିମାନରେ ଭାରତୀୟ ଦିଲ୍ଲୀରେ ପହଞ୍ଚିଥିଲେ । ଅପରେସନ ସମ୍ପର୍କରେ ସୂଚନା ଦେଇ ବିଦେଶ ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ ଟ୍ବିଟରେ କହିଛନ୍ତି, ଏବେ ସୁଦ୍ଧା 5 ଟି ବିମାନରେ ଭାରତୀୟ ଫେରିଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ବିମାନ ନିୟୋଜିତ କରାଯାଇପାରେ ।
ତେବେ ଟେଲ-ଆଭିଭରେ ଥିବା ଭାରତୀୟ ଦୂତାବାସ ସମନ୍ବୟରେ ଏହି ହ୍ୟୁମାନ ରେସ୍କ୍ୟୁ ଅପରେସନ ଜାରି ରଖିଛି ଭାରତ । ତେବେ ସେଠାରେ ପ୍ରାୟ 18 ହଜାର ଭାରତୀୟ ଥିବା ଜଣାପଡିଛି । ଯେଉଁମାନେ ସ୍ବଦେଶ ଫେରିବାକୁ ଚାହାନ୍ତି ସେମାନେ ଦୂତାବାସ ପ୍ରକ୍ରିୟା ଅନୁସରଣ କରି ପଞ୍ଜୀକରଣ ଜାରି ରଖିଛନ୍ତି । ସେହି ଆଧାରରେ ‘ଅପରେସନ ଅଜୟ’ ମଧ୍ୟ ଆଗକୁ ବଢୁଛି । କେବଳ ନିଜ ନାଗରିକଙ୍କ ସୁରକ୍ଷା ନୁହେଁ ବରଂ ପଡୋଶୀ ପ୍ରଥମ ବିଦେଶ ନୀତିରେ ବିଶ୍ବାସ ରଖୁଥିବା ଭାରତ ନେପାଳର 18 ନାଗରିକଙ୍କୁ ଆଜି ଇସ୍ରାଏଲରୁ ଆଣାଯାଇଛି ।