ଥିରୁଅନନ୍ତପୁରମ:ଚାଲିଛି ଭୋଟ ଗଣତି । ନିର୍ବାଚନୀ ଫଳାଫଳକୁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି ରାଜ୍ୟବାସୀ । ଏହାରି ମଧ୍ୟରେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମେନ ଚାଣ୍ଡି ରବିବାର କୋଟାୟାମ ଠାରେ ଥିବା ପୁଥୁପାଲ୍ଲୀ ଚର୍ଚ୍ଚରେ ପ୍ରାର୍ଥନା କରିଛନ୍ତି । ତେବେ ରାଜ୍ୟର 140ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି ।
ପୁଥୁପାଲ୍ଲୀ ବିଧାନସଭା ନିର୍ବାଚନୀ ମଣ୍ଡଳୀରୁ ଚାଣ୍ଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏଲଡିଏଫ ଓ ୟୁଡିଏଫ ଦଳର ଉଭୟ ନେତା କେରଳ ଗାଦି ହାତେଇବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତେବେ ଏକ୍ସିଟ ପୋଲ ଅନୁସାରେ ଏଲଡିଏଫ ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିବାକୁ ଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ଏହାକୁ ମିଥ୍ୟା ବୋଲି କହିଛି । ରାଜ୍ୟରେ ଏକ୍ସିଟ ପୋଲ ସଠିକ ଆସେନାହିଁ ବୋଲି ଐତିହାସିକ ରେକର୍ଡ ରହିଛି ବୋଲି କଂଗ୍ରେସ ନେତା ରମେଶ ଚେନ୍ନିଥାଲା କହିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏକ୍ସିଟ ପୋଲ ସତ୍ୟ ପ୍ରମାଣିତ ହେବ ବୋଲି କହିଛନ୍ତି ।