କେନ୍ଦ୍ର ସରକାର କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ବାବଦରେ ଏବେ ସୁଦ୍ଧା 4,744 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହାକି ଦେଶରେ ଟୀକାକରଣ ପାଇଁ ଚଳିତ ଆର୍ଥିକ ବର୍ଷର ମୋଟ ବ୍ୟୟ ଅଟକଳର 14 ପ୍ରତିଶତରୁ କମ୍ । ଫଳରେ ବିଶ୍ବର ସର୍ବବୃହତ ଟୀକାକରଣ ଅଭିଯାନ ଚାଲିଥିବା ଭାରତ ଏବେ ଏ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛି । କେତେକ ରାଜ୍ୟରେ ଟିକାର ଅଭାବ କାରଣରୁ ଟୀକାକରଣ ଅଭିଯାନ ମନ୍ଥର ଗତିରେ ଚାଲିଛି । ଟୀକାକରଣ ଅଭିଯାନ ପାଇଁ 35 ହଜାର କୋଟି ଟଙ୍କାର ବଜେଟ୍ ଅନୁମୋଦିତ ହୋଇଥିଲା । ନୂଆ କୋଭିଡ ସଂକ୍ରମଣ ମାମଲା ଭୟଙ୍କର ଭାବେ ବଢୁଥିବା ବେଳେ ଏହାକୁ ରୋକିବା ପାଇଁ ଟୀକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାର ଆବଶ୍ୟକତା ଥିବା ବେଳେ ବଜେଟ ଅନୁମୋଦିତ ଅର୍ଥର ବିନିଯୋଗ ମନ୍ଥର ଗତିରେ ହେଉଛି । ଗତ ସପ୍ତାହରେ ଦୈନିକ 3 ଲକ୍ଷ 86 ହଜାରରୁ ଅଧିକ ନୂଆ କୋଭିଡ ମାମଲା ଆସିଥିବା ବେଳେ 3600ରୁ ଅଧିକ ଲୋକଙ୍କର ପ୍ରତିଦିନ ମୃତ୍ୟୁ ଘଟିଛି ।
କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକାଧିକ ଟୁଇଟ୍ କରି କହିଛନ୍ତି ଯେ, ସରକାର ଟୀକାକରଣ ଅଭିଯାନରେ ମୋଟ 4744 କୋଟି 45 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ବିଶ୍ବର ସର୍ବବୃହତ ଟିକା ନିର୍ମାଣକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ 3639 କୋଟି 67 ଲକ୍ଷ ଟଙ୍କା ଏବଂ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକକୁ 1104 କୋଟି 78 ଲକ୍ଷ ଟଙ୍କା ପ୍ରଦାନ କରିଛି ।
ସେରମ୍ ଇନିଷ୍ଟିଚ୍ୟୁଟକୁ ଦିଆଯାଇଥିବା ଅର୍ଥ ପରିମାଣ ମଧ୍ୟରେ ମେ, ଜୁନ୍ ଏବଂ ଜୁଲାଇ ମାସରେ 11 କୋଟି ଡୋଜ୍ ଯୋଗାଣ ବାବଦରେ ଅଗ୍ରୀମ ଆକାରରେ 1732 କୋଟି 50 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । 15 କୋଟି ଡୋଜ୍ ଦେବାକୁ ପ୍ରଥମ ଅର୍ଡର ଯୋଗାଣ ବାବଦରେ ବିଲ୍ ପରିମାଣ 2352 କୋଟି 9 ଲକ୍ଷ ଟଙ୍କା ହୋଇଥିବା ବେଳେ 1907 କୋଟି 17 ଲକ୍ଷ ଟଙ୍କା ପୈଠ କରାଯାଇଛି ।
ଅନୁରାଗ ଠାକୁରଙ୍କ କହିବା ଅନୁଯାୟୀ ସେରମ୍ ଇନିଷ୍ଟିଚ୍ୟୁଟ୍ ଏବେ ସୁଦ୍ଧା ମୋଟ 14 କୋଟି 34 ଲକ୍ଷ କୋଭିସିଲଡ ଡୋଜ୍ ଯୋଗାଇ ଦେଇଥିବା ବେଳେ ସରକାର କମ୍ପାନିକୁ ମୋଟ 26 କୋଟି 60 ଲକ୍ଷ କୋଭିସିଲଡ ଡୋଜ୍ ଯୋଗାଇ ଦେବାକୁ ଅର୍ଡର ଦେଇଥିଲେ ।
ସେହିପରି ଘରୋଇ ଜ୍ଞାନକୌଶଳରେ କୋଭାକ୍ସିନ ଉତ୍ପାଦନ କରୁଥିବା ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ କ୍ଷେତ୍ରରେ ସରକାର ମୋଟ 8 କୋଟି ଡୋଜ୍ ଯୋଗାଇ ଦେବା ପାଇଁ ଅର୍ଡର ଦେଇଥିବା ବେଳେ କମ୍ପାନିକୁ ଏଯାଏଁ ମୋଟ 1104 କୋଟି 78 ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହାମଧ୍ୟରେ ଦ୍ବିତୀୟ ଦଫାରେ ମେ, ଜୁନ୍ ଏବଂ ଜୁଲାଇ ମାସରେ 5 କୋଟି ଡୋଜ୍ ଯୋଗାଣ ପାଇଁ 787.5 କୋଟି ଟଙ୍କାର ଅଗ୍ରୀମ ପେମେଣ୍ଟ ରହିଛି ।
ଅବଶ୍ୟ, ଗତ ଆର୍ଥିକ ବର୍ଷରେ ଦୁଇଟି ଟିକା ଉତ୍ପାଦନକାରୀ କମ୍ପାନିକୁ କେତେ ଟଙ୍କା ଦିଆଯାଇଛି ଏବଂ ଏବର୍ଷର ଟୀକାକରଣ ବଜେଟ୍ 35 ହଜାର କୋଟି ଟଙ୍କା ମଧ୍ୟରୁ କେତେ ଟଙ୍କା ଦିଆଯାଇଛି ତାହା ମନ୍ତ୍ରୀଙ୍କ ଟୁଇଟରୁ ସ୍ପଷ୍ଟ ହୋଇନାହିଁ ।
ଟିକା ଉତ୍ପାଦନକାରୀ ଦେଶୀୟ କମ୍ପାନିଗୁଡିକୁ ଟିକା ପାଇଁ ଅର୍ଡର ଦେବାରେ କେନ୍ଦ୍ର ସରକାରଙ୍କ ବିଳମ୍ବ କାରଣରୁ ଟୀକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇପାରିନାହିଁ ବୋଲି ସମାଲୋଚନା ବଢିବା କାରଣରୁ ମନ୍ତ୍ରୀ ଟୁଇଟ୍ ଜରିଆରେ ଏହି ତଥ୍ୟ ପ୍ରକାଶ କରିଛନ୍ତି । ଟୀକାକରଣ ଶିଥିଳ ପଡିଯିବାରୁ ଦେଶରେ କୋଭିଡ ମାମଲା ସଂଖ୍ୟାରେ ଭୟଙ୍କର ବୃଦ୍ଧି ପାଇଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି ବିଭିନ୍ନ ମହଲରୁ ସମାଲୋଚନା ହେବାରେ ଲାଗିଛି । ଅନ୍ୟ ଦେଶର ବ୍ୟବହାର ଆରମ୍ଭ ହୋଇ ସାରିଥିବା ଟିକାକୁ ମଧ୍ୟ ଅନୁମୋଦନ ପ୍ରଦାନ କରିବାରେ କେନ୍ଦ୍ର ସରକାର ବିଳମ୍ବ କରିଥିବା ମଧ୍ୟ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ।
ଏବର୍ଷ ମାର୍ଚ୍ଚ ମାସ ପରେ ଦେଶର ଦୁଇଟି ଟିକା ନିର୍ମାଣକାରୀ ସଂସ୍ଥାକୁ ସରକାର ସାନି ଅର୍ଡର ଦେଇନଥିବା ନେଇ ପ୍ରକାଶ ପାଉଥିବା ରିପୋର୍ଟକୁ ଏ ସପ୍ତାହ ଆରମ୍ଭରେ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ଏକ ପ୍ରେସ ବିବୃତିରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଏଭଳି ଖବରର କୌଣସି ସତ୍ୟତା ନାହିଁ । କେନ୍ଦ୍ର ସରକାର 16 କୋଟି ଟିକା ପାଇଁ ଏପ୍ରିଲ 28ରେ ଅର୍ଡର ଦେଇଛନ୍ତି । ସେରମରୁ 11 କୋଟି ଏବଂ ଭାରତ ବାୟୋଟେକରୁ 5 କୋଟି ଡୋଜ୍ ପାଇଁ ଅର୍ଡର ଦିଆଯାଇଛି ଏବଂ ସେହିଦିନ ହିଁ ଦୁଇଟି ଯାକ କମ୍ପାନିକୁ ଏଥିପାଇଁ ଅଗ୍ରୀମ ଆକାରରେ 2,520 କୋଟି ଟଙ୍କା ଦିଆସରିଛି । ହେଲେ ଏହି ପରିମାଣ ଚଳିତ ଆର୍ଥିକ ବର୍ଷର ମୋଟ ବଜେଟ୍ ଅନୁମୋଦିତ 35 ହଜାର କୋଟି ଟଙ୍କାର ମାତ୍ର 7.2 ପ୍ରତିଶତ ।
ମୋଟ ବ୍ୟୟ ଅଟକଳ
ଚଳିତ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ ବେଳେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କୋଭିଡ ଟୀକାକରଣ ଅଭିଯାନ ପାଇଁ 35 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ଘୋଷଣା କରିଥିଲେ ।
“ 2021-22 ପାଇଁ କୋଭିଡ-19 ଟିକା ପାଇଁ ମୁଁ 35 ହଜାର କୋଟି ଟଙ୍କା ବ୍ୟୟ ବରାଦ କରୁଛି । ଯଦି ଆବଶ୍ୟକ ହୁଏ ଅଧିକ ଟଂକା ଯୋଗାଇଦେବାକୁ ମଧ୍ୟ ମୁଁ ପ୍ରତିଶ୍ରୁତିବଦ୍ଧ। ” ଏହା ଘୋଷଣା କରିବା ସହିତ ଅର୍ଥ ମନ୍ତ୍ରୀ କହିଥିଲେ ଯେ, ସରକାର ସ୍ବାସ୍ଥ୍ୟ ବଜେଟ 2020-21ରେ 94,452 କୋଟି ରଖିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 137 ପ୍ରତିଶତ ବୃଦ୍ଧି କରି 2,23,846 କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି ।