ନୂଆଦିଲ୍ଲୀ: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ସାଙ୍ଘାତିକ ହୋଇଛି । ରାଜଧାନୀ ଦିଲ୍ଲୀରେ ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡିଛି । ସଂକ୍ରମଣ ରୋକିବାକୁ ତଥା ସାଧାରଣ ଜୀବନ ରକ୍ଷା କରିବାକୁ କୋଭିଡ ଯୋଦ୍ଧା ସାଜି ଅହରହ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ପୋଲିସ କର୍ମଚାରୀ । ଏହି ସମୟରେ କୋରୋନା ସହ ଲଢେଇ କରୁ କରୁ ଜୀବନ ଯୁଦ୍ଧରେ ହାରି ଯାଉଛନ୍ତି ଅନେକ ଯୋଦ୍ଧା । ଏହା ଭିତରେ ଏକ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ସାମ୍ନାକୁ ଆସିଛି । ଦିଲ୍ଲୀରେ କୋରୋନା ସଂକ୍ରମଣ ରୋକିବାର ନାଁ ଧରୁନି । ଏପଟେ ପ୍ରତି 20 ମିନିଟରେ ଜଣେ ପୋଲିସ କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ଗତ 2 ମାସ ମଧ୍ୟରେ ରାଜ୍ୟରେ 4200 ରୁ ଅଧିକ ପୋଲିସ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ମୋଟ 11500 ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ତେବେ ବିଗତ 2 ମାସ ମଧ୍ୟରେ ଦିଲ୍ଲୀ ପୋଲିସ ନିଜର 25 ସାଥୀ କର୍ମଚାରୀଙ୍କ କୋରୋନାରେ ହରାଇଛନ୍ତି ।
ରିପୋର୍ଟ ମୁତାବକ, ଗତ ଜାନୁଆରୀ ମାସରେ 34 ପୋଲିସ କର୍ମଚାରୀ କୋରୋନାରେ ମୃତ୍ୟୁବରଣ କରିଛନ୍ତି । ବର୍ଷ 2020, ମାର୍ଚ୍ଚ ମାସ ଠାରୁ ଆଜି ସୁଦ୍ଧା 59 କୋଭିଡ ଯୋଦ୍ଧାଙ୍କୁ ହରାଇଛି ଦିଲ୍ଲୀ ପୋଲିସ । ପୋଲିସ ଅନୁସାରେ, ନିକଟ ଅତୀତରେ ସର୍ବାଧିକ ସଂକ୍ରମିତ ପୋଲିସ ପିସିଆରରୁ ଆସିଛନ୍ତି । 441 ଜଣ ପୋଲିସ ପିସିଆରର ହୋଇଥିବାବେଳେ 343 ଜଣ ପୋଲିସ ସୁରକ୍ଷା ୟୁନିଟ, 242 ଜଣ ଟ୍ରାଫିକ ୟୁନିଟ ରହିଛନ୍ତି । ଲେଫ୍ଟନାଣ୍ଟ ଗଭର୍ଣ୍ଣର,ମୁଖ୍ୟମନ୍ତ୍ରୀ, ବିଧାନସଭା ଓ ଭିଭିଆଇପିଙ୍କ ବାସଭବନର ସୁରକ୍ଷାରେ ଥିବା 145 ପୋଲିସ କର୍ମଚାରୀ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ୱିଙ୍ଗରେ ନିୟୋଜିତ ପୋଲିସ କର୍ମଚାରୀଙ୍କ ମଧ୍ୟରେ 65 ଜଣ ପୋଲିସ କୋରୋନାରେ ସଂକ୍ରମିତ ହୋଇଛନ୍ତି।