ଶିମଲା: ପାହାଡି ରାଜ୍ୟରେ ପିଛା ଛାଡୁନି ବିପତ୍ତି । ଗତ କିଛି ଦିନ ଧରି ହିମାଚଳରେ ତାଣ୍ଡବ ରଚିଥିଲା ପ୍ରକୃତି । ପ୍ରବଳ ବର୍ଷା ସବୁ କିଛି ଛାରଖାର କରିଦେଇଥିଲା । ଅନେକ ମୃତ୍ୟୁ ହୋଇଥିବା ବେଳେ ଏବେ ପୁଣି ହିମାଚଳ କୁଲ୍ଲୁରେ ବାଦଲ ଫଟା ବିତ୍ପାତ କରିଛି । କୁଲ୍ଲୁ ଜିଲ୍ଲାର ଗତକାଲି(ରବିବାର) ବିଳମ୍ବିତ ରାତିରେ ସେଉବାଗ ଓ କାଇସ ଅଞ୍ଚଳରେ ବାଦଲ ଫଟା ବର୍ଷା ହୋଇଛି । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଛନ୍ତି । ବାଦଲଫଟା ବର୍ଷା ଭସାଇ ନେଇଛି ଗାଡିମୋଟର ଘରଦ୍ବାର । ଏଥିରେ 9ଟି ଗାଡି ଭାସି ଯାଇଥିବା ସେଠାକାର ଡିଏସପି ରାଜେଶ ଠାକୁର ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତି ପ୍ରାୟ 2.30 ସମୟରେ ମନାଲି ବିଧାନସଭା କ୍ଷେତ୍ରର କାଇସ ଓ ସେଉବାଗ ଅଞ୍ଚଳରେ ଅକଷ୍ମାତ ବନ୍ୟା ଆସିଥିଲା । ଫଳରେ ଲୋକେ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏଥିରେ କେତେକ ଘର ଓ ଦୋକାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ରହିଛି । ଏନେଇ ଡିଏସପି ରାଜେଶ ଠାକୁର ସୂଚନା ଦେଇ କହିଛନ୍ତି, ‘ଫ୍ଲାସ ଫ୍ଲଡ ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 9ଟି ଗାଡି ଭାସି ଯାଇଛି ।’
ଏହା ମଧ୍ୟ ପଢନ୍ତୁ:Watch: ହିମାଚଳରେ ବନ୍ୟା ସ୍ଥିତି ସାଂଘାତିକ, କୁଲୁ-ମନାଲି ଯୋଗାଯୋଗ ବିଚ୍ଛିନ୍ନ