ମୁମ୍ବାଇ: ସ୍ବପ୍ନର ନଗରୀ ମହାରାଷ୍ଟ୍ରର ମୁମ୍ବାଇରେ ବଢିବାରେ ଲାଗିଛି କାର ସଂଖ୍ୟା । ଫଳରେ କାର ପାର୍କିଂକୁ ନେଇ ଦେଖିବାକୁ ମିଳୁଛି ବଡ଼ ସମସ୍ୟା । ସ୍ଥାନ ଅଭାବରୁ କାର ମାଲିକମାନେ ରାସ୍ତାକଡ଼ରେ ପାର୍କିଂ କରୁଛନ୍ତି କାର । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେବା ପାଇଁ ପରାମର୍ଶ ଦେଇଛନ୍ତି । ସହରରେ ଗୋଟିଏ ଫ୍ଲାଟ ବା ଘରେ ରହୁଥିବା ଲୋକଙ୍କୁ ଗୋଟିଏ କାର ରଖିବା ପାଇଁ ସରକାର ନିର୍ଦ୍ଦେଶ ଦିଅନ୍ତୁ ବୋଲି କୋର୍ଟ କହିଛନ୍ତି ।
ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତଙ୍କ ନେତୃତ୍ବ ଖଣ୍ଡପୀଠ ଏହି ଘଟଣାର ଶୁଣାଣି କରିଛନ୍ତି । ସହରରେ ସୋସାଇଟି ଅଧିକାରୀଙ୍କ ପାର୍କିଂ କରିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିଲେ ସେଠାରେ ଗୋଟିଏ ଫ୍ଲାଟରେ ରହୁଥିବା ପରିବାର ଗୋଟିଏରୁ ଅଧିକ କାର ରଖିପାରିବା ପାଇଁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ଏହି ସମସ୍ୟା ନେଇ ସନ୍ଦୀପ ଠାକୁର କୋର୍ଟରେ ଏକ PIL ଆବେଦନ କରି ସରକାରଙ୍କ ନିୟମକୁ ଚ୍ୟାଲେଞ୍ଜ କରାଯାଇଛି । ଡେଭଲର୍ପସ ମାନେ ପର୍ଯ୍ୟାପ୍ତ ପାର୍କିଂ ସ୍ଥଳ ନିର୍ମାଣ କରୁନଥିବାରୁ କାରକୁ ଫ୍ଲାଟ ପରିସର ମଧ୍ୟରେ ରଖାଯାଇ ପାରୁନାହିଁ । ଫଳରେ କାର ମାଲିକମାନେ ଘର ବାହାରେ କାର ରଖିବାକୁ ବାଧ୍ୟ ହେଉଛନ୍ତି ।