ରାୟପୁର: ଛତିଶଗଡରେ ଲାଲବାହୀନିଙ୍କ ବର୍ବରକାଣ୍ଡ । ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ସୂଚନା । ଛତିଶଗଡ ସଶସ୍ତ୍ର ବାହିନୀରେ କାର୍ଯ୍ୟରତ ଜଣେ ଯବାନ ଶହୀଦ ହୋଇଥିବା ନେଇ ଜଣାପଡିଛି । ବିଜାପୁର ଜିଲ୍ଲାରେ ଏଭଳି ଘଟଣା ଘଟିଥିବା ବେଳେ ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଶହୀଦ ଯବାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।
ତେବେ ଗତ ଫେବୃଆରୀ 26 ତାରିଖରେ ନକ୍ସଲଙ୍କ ଆଇଡି ବିସ୍ଫୋରଣରେ ଜଣେ ପୋଲିସ କର୍ମୀ ଶହୀଦ ହୋଇଥିବା ସୂଚନା ମିଳିଥିଲା । ନାରାୟଣପୁରରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ଶହୀଦ ପୋଲିସ କର୍ମଚାରୀ ଜଣଙ୍କ ହେଉଛନ୍ତି ହେଡ କନେଷ୍ଟବଳ। ଏହା ପୂର୍ବରୁ 25 ତାରିଖ ରାତିରେ ନକ୍ସଲ ଗୁଳିରେ 3 ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିଲା । ସୁକୁମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ବେଳେ ଏଏସଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଳ କୁଞ୍ଜାମ ଯୋଗା ଏବଂ ସୈନିକ ଭଞ୍ଜମ ଭୀମା ଶହୀଦ ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-Tejashwi welcome baby girl: ବାପା ହେଲେ ବିହାର ଉପମୁଖ୍ୟମନ୍ତ୍ରୀ, ଘରକୁ ଆସିଲା ନହ୍ନି ପରୀ
ସେହିପରି ଗତ 21 ତାରିଖରେ ଜଣେ ହେଡ କନେଷ୍ଟବଳଙ୍କୁ ଘରେ ପଶି ହତ୍ୟା କରିଥିଲେ ମାଓବାଦୀ । ବିଜାପୁର ଜିଲ୍ଲା ଭୈରମଗଡ ପୋଲିସ ଷ୍ଟେସନ ଅନ୍ତର୍ଗତ କାଦେନାର ଠାରେ ପୋଲିସ କର୍ମୀଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା କରାଯାଇଥିବା ହେଡ କନେଷ୍ଟବଳ ହେଉଛନ୍ତି ପିଣ୍ଡିରାମ ଭେଟି । ସେ ତାଙ୍କ ଭାଇଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଅନ୍ୟ ଏକ ଗ୍ରାମକୁ ଯାଇ ଫେରୁଥିବା ବେଳେ ନକ୍ସଲମାନେ ତାଙ୍କୁ ଗଳାକାଟି ହତ୍ୟା କରିଥିବା ଜଣାପଡିଥିଲା ।
ଏହାପୂର୍ବରୁ ରାଜନନ୍ଦଗାଓଁରେ ନକ୍ସଲଙ୍କ ଗୁଳିରେ ଦୁଇ ଯବାନ ଶହୀଦ ହୋଇଥିଲେ । ବୋରଟଲାଭ ପୋଲିସ ଷ୍ଟେସନ ଅଞ୍ଚଳର ଗୋଣ୍ଡିଆ ମହାରାଷ୍ଟ୍ରର ଚେକ୍ ପୋଷ୍ଟରେ ଡ୍ୟୁଟିରେ ଥିବାବେଳେ ଯବାନଙ୍କୁ ଗୁଳି କରି ହତ୍ୟା କରିଥିଲେ ମାଓବାଦୀ । ଦୁଇ ଶହୀଦ ଯବାନ ହେଲେ ହାବିଲଦାର ରାଜେଶ ଏବଂ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ଲଲିତ । ଚେକ୍ ପୋଷ୍ଟରେ ଚେକିଂ ଜାରି ରହିଥିବା ବେଳେ ନକ୍ସଲ ଆସି ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଫଳରେ ଘଟଣାସ୍ଥଳରେ ଦୁଇ ଯବାନ ଟଳି ପଡିଥିଲା । ଜାନୁଆରୀ 12 ତାରିଖରେ ଝାଡ଼ଖଣ୍ଡର ଚାଇବସା ସହରରେ ଆଇଡି ବିସ୍ଫୋରଣ ହୋଇଥିଲା । ଫଳରେ 3 ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ । ଏହାପରେ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।