ଲକ୍ଷ୍ନୌ: ଲଖିମପୁର ଖେରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଉଭୟ ସୀତାପୁରରୁ ବାହାରି ଲଖିମପୁର ଖେରୀ ଯାଉଛନ୍ତି । ଏହାପୂର୍ବରୁ ପ୍ରିୟଙ୍କାଙ୍କୁ ଭେଟିବାକୁ ସୀତାପୁର ପହଁଞ୍ଚିଥିଲେ ରାହୁଲ । ତେବେ ରାତିରେ ହିଁ ରାହୁଲ ଦିଲ୍ଲୀ ଫେରିପାରନ୍ତି ବୋଲି କୁହାଯାଉଛି । ରାହୁଲଙ୍କ ସହ ଲଖିମପୁର ଯାଉଛନ୍ତି ପଞ୍ଜାବ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ । ତେବେ ବାଟରେ ପୀଡିତଙ୍କ ପରିବାରକୁ ୫୦ ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ଉଭୟ ମୁଖ୍ୟମନ୍ତ୍ରୀ ।
ଲଖିମପୁର ପହଁଞ୍ଚିବା ପରେ ସର୍ବପ୍ରଥମେ ସାମ୍ବାଦିକ ରତନ କାଶ୍ୟପଙ୍କ ଘରକୁ ଯିବେ ରାହୁଲ ଓ ପ୍ରିୟଙ୍କା । ହିଂସାରେ ସାମ୍ବାଦିକ ରମଣ କାଶ୍ୟପଙ୍କ ମୃତ୍ୟୁ ହୋଇଛି । ଲଖିମପୁର ଖେରୀ ହିଂସାରେ ମୃତ ରମଣ କାଶ୍ୟପଙ୍କ ପରିବାର ସହ ମଙ୍ଗଳବାର ଫୋନ ଯୋଗେ କଥା ହୋଇ ସାନ୍ତ୍ବନା ଦେଇଥିଲେ ପ୍ରିୟଙ୍କା । ସେ ରମଣଙ୍କୁ ନ୍ୟାୟ ଦେବା ପାଇଁ ସଂଘର୍ଷ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାଶ୍ୟପଙ୍କ ପରିବାରକୁ ଭେଟିବା ପରେ ହିଂସାରେ ମୃତ ଚାଷୀ ଲଭପ୍ରୀତ ସିଂହ ଓ ନଛତର ସିଂହଙ୍କ ପରିବାରକୁ ଭେଟିବେ । ହିଂସାରେ ୪ ଚାଷୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରୁ ୨ ଜଣ ବହରାଇଚର ହୋଇଥିବାବେଳେ ଅନ୍ୟ ୨ ଜଣ ଲଖିମପୁର ଖେରୀର ବୋଲି ଜଣାପଡିଛି ।