ଲକ୍ଷ୍ନୌ:ମାଫିଆ ଅତିକ ଅହମ୍ମଦ ଓ ତା'ର ଭାଇ ଅସରଫକୁ ଶନିବାର ବିଳମ୍ବିତ ରାତିରେ ପ୍ରୟାଗରାଜରେ ଗୁଳି କରି ହତ୍ୟା କରାଯାଇଛି । ପୋଲିସ ଦୁହିଁଙ୍କୁ ପ୍ରୟାଗରାଜ ମେଡିକାଲକୁ ଚେକଅପ୍ ପାଇଁ ନେଉଥିବା ବେଳେ ୩ ଜଣ ସୁଟର ଦୁଇ ଭାଇଙ୍କୁ ଗୁଳି କରିଛନ୍ତି । ଏହି ଖବର ଜେଲରେ ଥିବା ଗ୍ୟାଙ୍ଗଷ୍ଟାରର ବଡ ପୁଅ ଉମରକୁ ଶକ୍ତ ଧକ୍କା ଦେଇଛି । ଭାଇ ପରେ ଏବେ ବାପାଙ୍କ ମୃତ୍ୟୁ ଶୁଣିବା ପରେ ଘଟଣାସ୍ଥଳରୁ ଦୁଇ ଶହ କିଲୋମିଟର ଦୂର ଲକ୍ଷ୍ନୌ ଜେଲରେ ଥିବା ଅତିକର ବଡ ପୁଅ ଉମର ଅଚେତ୍ ହୋଇପଡିଛି । ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାକୁ ଜିଲ୍ଲା ହସ୍ପିଟାଲକୁ ନେଇଛି । ସେଠାରେ ତାର ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ଲକ୍ଷ୍ନୌ ଜେଲର ହାଇ ସିକ୍ୟୁରିଟି ସେଲ୍ରେ ଅତିକ ଅହମ୍ମଦର ବଡପୁଅ ଉମର ଅହମ୍ମଦ ବନ୍ଦ ଅଛି । ଆଜି ଜେଲ୍ କର୍ମୀଙ୍କ ଠାରୁ ଉମର ନିଜ ବାପାଙ୍କ ହତ୍ୟା ଖବର ଶୁଣିଥିଲା । ଏହା ଶୁଣିବା ମାତ୍ରେ ସେ ହଠାତ୍ ଅଚେତ୍ ହୋଇଯାଇଥିଲା । ଏହାପରେ ଜେଲ୍ ପ୍ରଶାସନ ତାକୁ ହସ୍ପିଟାଲରେ ଭର୍ତ୍ତି କରିଛି । ପୂର୍ବରୁ ଗୁରୁବାର ଦିନ ଭାଇ ଅସଦର ଏନକାଉଣ୍ଟର ଖବର ଶୁଣିବା ପରଠୁ ଉମର ଜେଲ୍ରେ ଖାଇବା ପିଇବା ଛାଡି ଦେଇଥିଲା । ଗତକାଲି ଭାଇର ଅନ୍ତିମ ସଂସ୍କାର ଟିଭିରେ ଦେଖିବାକୁ ସେ ଜିଦ୍ ଧରିଥିଲା । ଭାଇକୁ କବର ଦିଆଯିବାର କେଇ ଘଣ୍ଟା ନପୁରୁଣୁ ବାପା ଚାଲିଯିବା ପରେ ଉମର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡିଛି ।