ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ୨ ଲକ୍ଷ ଉପରେ ରହିଛି । କୋରୋନାର ନୂଆ ପ୍ରଜାତି ଓମିକ୍ରନ ଦ୍ରୁତଗତିରେ ବ୍ୟାପୁଛି । ଏପରିସ୍ଥିତିରେ ଦିନ କେଇଟା ପରେ ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ ନିର୍ବାଚନ ସ୍ଥଗିତ ରଖିବାକୁ ଦିଲ୍ଲୀ କୋର୍ଟରେ ପିଟିସନ ଦାଖଲ କଲେ କଂଗ୍ରେସ ନେତା ଜଗଦୀଶ ଶର୍ମା । ଏଥିସହ ତୃତୀୟ ଲହର ସମୟରେ ଆବଶ୍ୟକୀୟ ସେବା ଯୋଗାଇବା ଦିଗରେ ଯୋଜନା ପ୍ରସ୍ତୁତ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ପିଟିସନରେ ନିବେଦନ କରିଛନ୍ତି କଂଗ୍ରେସ ନେତା ।
ଜଗଦୀଶ କୋର୍ଟକୁ କହିଛନ୍ତି, ଦ୍ବିତୀୟ ଲହର ସମୟରେ ବହୁସଂଖ୍ୟକ ଲୋକେ ଅକ୍ସିଜେନ ଏବଂ ମେଡିକାଲରେ ଶଯ୍ଯା ଅଭାବରୁ ପ୍ରାଣ ହରାଇଥିଲେ । ତେଣୁ ସଂକ୍ରମଣ ବଢୁଥିବାରୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମହଜୁଦ ରଖିବାକୁ ଏବଂ ବିତରଣ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ । ସାମ୍ଭାବ୍ୟ ଲହରର ମୁକାବିଲା ପାଇଁ କେନ୍ଦ୍ର ସରକାର କ'ଣ ସବୁ ଯୋଜନା ପ୍ରସ୍ତୁତ କରିଛନ୍ତି ତାହା ଜଣାନ୍ତୁ ।