ନୂଆଦିଲ୍ଲୀ:ଦେଶରେ ନୂତନ କୋଭିଡ ଭ୍ୟାରିଏଣ୍ଟ ‘ଓମିକ୍ରନ’ ଗୋଷ୍ଠୀ ସଂକ୍ରମଣ ସ୍ତରରେ ପହଞ୍ଚି ସାରିଲାଣି । ଦେଶର ଏକାଧିକ ମେଟ୍ରୋ ସହରରେ ସଂକ୍ରମଣ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ବର୍ତ୍ତମାନ ସ୍ଥିତିକୁ ଲକ୍ଷ୍ୟ କଲେ ଦେଶର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଗଲା ପରି ସ୍ଥିତି ଦୃଶ୍ୟମାନ ହେଉଥିବା ସୂଚନା ଦେଇଛିଭାରତୀୟ ସାର୍ସ-କୋଭିଡ ଜେନୋମିକ୍ସ କନ୍ସୋର୍ଟିୟମ ବା Indian SARS-CoV-2 Genomics Consortium (INSACOG) । INSACOG ଦ୍ବାରା ପ୍ରଦତ୍ତ ସଦ୍ୟତମ ବୁଲେଟିନରେ ଏହି ସୂଚନା ଦିଆଯାଇଛି ।
INSACOG, କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ବାୟୋ ଟେକ୍ନୋଲୋଜି ବିଭାଗ (DBT) ଦ୍ୱାରା ମିଳିତ ଭାବେ SARS-CoV-2 ଭୂତାଣୁର ଜେନୋମିକ୍ ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ ଏକ ମିଶନ ଆରମ୍ଭ ହୋଇଛି । ଏହି ମିଶନ ଅନୁସାରେ, ସାରା ଦେଶରେ 38 ଟି ଲାବୋରେଟୋରୀରେ ଏହି ଅଧ୍ୟୟନ ଜାରି ରହିଛି ।
ଆଜି (ରବିବାର) INSACOG ଦ୍ବାରା ପ୍ରକାଶିତ ଦୁଇ ପୃଷ୍ଠାର ବୁଲେଟିନରେ କୁହାଯାଇଛି, ବର୍ତ୍ତମାନ ପର୍ଯ୍ୟନ୍ତ ଅଧିକାଂଶ ଓମିକ୍ରନ୍ ମାମଲାର ଜଟିଳତା ପ୍ରକାଶ ପାଉନାହିଁ । ତେଣୁ ହସ୍ପିଟାଲରେ ଭର୍ତ୍ତି କିମ୍ବା ଆଇସିୟୁ ସପୋର୍ଟ ଆବଶ୍ୟକ ପଡୁନାହିଁ । ଯାହା ଦ୍ବିତୀୟ ଲହର ତୂଳନାରେ ଏକ ଶୁଭ ସଙ୍କେତ । କିନ୍ତୁ ସଂକ୍ରମଣ ବଢୁଥିବା ବେଳେ ଅନୁରୂପ ଭାବେ ବିପଦର ସ୍ତର ମଧ୍ୟ ବଢିବାରେ ଲାଗିଛି । କୌଣସି ମୁହୂର୍ତ୍ତରେ ଜରୁରୀକାଳୀନ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇ ଆମକୁ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଚିକିତ୍ସା ସହାୟତା ଉପକରଣ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ ରଖିବାକୁ ପଡିବ ।
ଜାନୁୟାରୀ 3 ତାରିଖରେ INSACOG ଦ୍ବାରା ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଥିଲା ଭାରତରେ ସଂକ୍ରମଣ ବଢିବା ପାଇଁ କେବଳ ବିଦେଶାଗତ ଉପରେ ନଜର ରଖିବା ଯଥେଷ୍ଟ ହେବ ନାହିଁ ବରଂ ସ୍ଥାନୀୟ ସଂକ୍ରମଣ ରୋକିବା ଦିଗରେ ମଧ୍ୟ କାର୍ଯ୍ୟପନ୍ଥା ସ୍ଥିର କରିବାର ଆବଶ୍ୟକତା ରହିଛି । ଆଭ୍ୟନ୍ତରୀଣ ଭ୍ରମଣ ଓ ସଂସ୍ପର୍ଷ ମାଧ୍ୟମରେ ମଧ୍ୟ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ରହିଥିବା ସତର୍କ କରାଇଥିଲା INSACOG ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ