ବେଙ୍ଗାଲୁରୁ: ସାଧାରଣତଃ ଶିକ୍ଷକ ବା ଶିକ୍ଷୟିତ୍ରୀ ଅବସର ନେବା ସମୟରେ ତାଙ୍କ ଅବଦାନକୁ ସମ୍ମାନ ଜଣାଇ ଛାତ୍ରଛାତ୍ରୀମାନେ ବିଦାୟକାଳୀନ ସଭାର ଆୟୋଜନ କରିଥିବା ବେଳେ କିଛି ଉପହାର ଭେଟି ଦେଇଥାନ୍ତି । ଚାଦର, ପୋଷାକ, ପୁସ୍ତକ ଭଳି ଉପହାର ଭେଟି ଦିଅନ୍ତି ଛାତ୍ରଛାତ୍ରୀ । ହେଲେ ଏଠାରେ କିଛି ଛାତ୍ର 2 ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଭେଟି ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏଭଳି ଏକ ଘଟଣା କର୍ଣ୍ଣାଟକ ମାଙ୍ଗଲୋର ସ୍ଥିତ ଇସଲାମିକ ଅନୁଷ୍ଠାନ ଦାରୁଲ ଇସଲାମ ଦ୍ବାରା ପରିଚାଳିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।
ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରମାନେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଜୟାଲକ୍ଷ୍ମୀ ଆର ଭଟ୍ଟଙ୍କୁ 33 ଗ୍ରାମର ସୁନା ହାର ଭେଟି ଦେଇଛନ୍ତି । ଯାହାର ମୂଲ୍ୟ 2 ଲକ୍ଷ ଟଙ୍କା ରହିଛି । ଶିକ୍ଷୟିତ୍ରୀ ଜଣକ 2020 ମସିହାରେ ଚାକିରିରୁ ଅବସର ନେଇଥିଲେ । ହେଲେ ଶିକ୍ଷାନୁଷ୍ଠାନରେ ପାଠ ପଢାଇବା ପାଇଁ ଆବଶ୍ୟକ ମୁତାବକ ଷ୍ଟାଫଙ୍କ ଅଭାବ ଥିବାରୁ ସେ ବିନା ଶୁଳ୍କରେ ଶିକ୍ଷାଦାନ ଜାରି ରଖିଛନ୍ତି । ସେ ଗତ 3 ଦଶନ୍ଧି ଧରି ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରିଆସୁଛନ୍ତି । ଯେତେବେଳେ ସେ ପୁରାତନ ଛାତ୍ରଛାତ୍ରୀଙ୍କଠାରୁ ଏହି ବହୁମୂଲ୍ୟ ଉପହାର ପାଇଥିଲେ, ସେତେବେଳେ ସେ ଭାବବିହ୍ବଳ ହୋଇପଡ଼ିଥିଲେ । ଆଜି ବି ତାଙ୍କ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ସମ୍ମାନ, ପ୍ରେମଭାବକୁ ନେଇ ସେ ବେଶ ଖୁସିବ୍ୟକ୍ତ କରିଛନ୍ତି।
ଏହା ବି ପଢନ୍ତୁ- 16 ବର୍ଷ ଧରି ଗାଁ ସ୍କୁଲରେ ପଢାଉଥିଲେ, ବଦଳି ପରେ ଗିଫ୍ଟରେ ମିଳିଲା ବାଇକ୍