ପାଟନା:ଚଳନ୍ତା ଟ୍ରେନର ଝରକାରେ ଲଟକିଲେ ବୃଦ୍ଧ । ଆଉ ଏପଟେ ଟ୍ରେନ ଭିତରେ ବସିଥିବା ଯାତ୍ରୀ ବୃଦ୍ଧଙ୍କୁ ଗାମୁଛାରେ ବାନ୍ଧି ବଞ୍ଚାଇବାକୁ କରୁଥିଲେ ଚେଷ୍ଟା । ଏହାରି ଭିତରେ ପୁରା ଟ୍ରେନରେ ଏକ ଭୟାବହ ସ୍ଥିତି ଉପୁଜିଥିଲା । ଜୀବନ ବଞ୍ଚାଇବାକୁ ବୃଦ୍ଧଙ୍କ ଆର୍ତ୍ତ ଚିତ୍କାର ଯାତ୍ରୀଙ୍କୁ ଭୟଭୀତ କରିଥିଲା । ସୌଭାଗ୍ୟବଶତଃ କିଛି ଅଘଟଣ ଘଟିବା ପୂର୍ବରୁ ଆସିଥିଲା ପରବର୍ତ୍ତୀ ଷ୍ଟେସନ । ଯାତ୍ରୀ ଜଣକ ଟ୍ରେନ ଭିତରୁ ବୃଦ୍ଧଙ୍କୁ ଗାମୁଛାରେ ଜାବୁଡି ଧରି ତାଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଘଟଣା ବିହାର କଟିହାରରେ ଘଟିଛି ।
ଏହି ଭୟଙ୍କର ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଘଟଣା କଟିହାର ରେଳ ଡିଭିଜନ ଦାଲକୋଲା ଅଲୁଆବାଡି ଷ୍ଟେସନର । ଷ୍ଟେସନରେ ସିଲିଗୁଡ଼ି-କଟିହାର ଇଣ୍ଟରସିଟି ଏକ୍ସପ୍ରେସ ପହଞ୍ଚିଥିଲା । ଯାତ୍ରୀମାନେ ଟ୍ରେନରେ ଚଢିବା ପରେ ଏହା ଷ୍ଟେସନ ଛାଡିଥିଲା । କୁହାଯାଉଛି ଯେ ଠିକ ଏହି ସମୟରେ ଜଣେ ବୃଦ୍ଧ ହକର୍ ଟ୍ରେନ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ଟ୍ରେନର କବାଟ ବନ୍ଦ ହୋଇଯାଇଥିଲା । ବୃଦ୍ଧ ଟ୍ରେନର ପାହାଚରେ ଚଢିଯାଇଥିବା ବେଳେ ଧୀରେ ଧୀରେ ଟ୍ରେନର ବେଗ ମଧ୍ୟ ବଢିଥିଲା । ଫଳରେ ବୃଦ୍ଧ ଜଣକ ଆଉ ଟ୍ରେନରୁ ଓହ୍ଲାଇପାରିନଥିଲେ ।
ଏହା ବି ପଢନ୍ତୁ- ଚଳନ୍ତା ଟ୍ରେନରୁ ଦୁଇ ଯୁବକଙ୍କୁ ଠେଲି ଦେଲେ, ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର