ଚଣ୍ଡିଗଡ଼: ରାସ୍ତାରେ ଖାଲ ରହିବା ମରଣଯନ୍ତା ସଦୃଶ ହୋଇଥାଏ । ଗାଡିମଟର ଖାଲରେ ପଡି ଛୋଟ ବଡ ଦୁର୍ଘଟଣା ଘଟିଥାଏ । ହେଲେ ଏହି ଖାଲ ଯେ, ଜଣେ ମୃତ ବ୍ୟକ୍ତିଙ୍କୁ ପୁଣି ଜୀବନଦାନ ଦେଇପାରେ, ଏକଥା ଶୁଣିଲେ ହୁଏତ ଆପଣ ବିଶ୍ବାସ କରିବେ ନାହିଁ । କିନ୍ତୁ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହରିୟାଣାରେ । ଜଣେ ବୃଦ୍ଧଙ୍କୁ ହସ୍ପିଟାଲରେ ମୃତ ଘୋଷିତ କରାଯାଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସରେ ମୃତଦେହ ନେଇ ଅନ୍ତିମ ସଂସ୍କାର ପାଇଁ ଘରକୁ ଫେରୁଥିଲେ । ହେଲେ ବାଟରେ ଆମ୍ବୁଲାନ୍ସର ଚକ ରାସ୍ତାରେ ଥିବା ଏକ ଖାଲରେ ଖସିପଡିଥିଲା । ଏହାପରେ କୌଣସି ଚମତ୍କାର ହେଲା ପରି ଜିଇଁ ଉଠିଥିଲେ ମୃତ ବୃଦ୍ଧ ଜଣକ ।
ଘଟଣାଟି ହେଉଛି ହରିୟାଣା କରନାଲ ଅଞ୍ଚଳର । ଏଠାରେ ରହୁଥିବା 80 ବର୍ଷୀୟ ଦର୍ଶନ ସିଂହ ବ୍ରାରଙ୍କୁ ହୃଦଘାତ ଆସିଥିଲା । ପରିବାର ଲୋତେ ତାଙ୍କୁ ସଙ୍ଗେ ସଙ୍ଗେ ପଟିଆଲାର ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସଧୀନ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତର ଘୋଷଣା କରିଥିଲେ । ଏହାପରେ ଗାଁରେ ତାଙ୍କର ଅନ୍ତିମ ସତ୍କାର ପାଇଁ ସମସ୍ତ ପ୍ରସ୍ତୁତ କରାଯାଇଥିଲା । ପରିବାର ଲୋକେ ଲୁହ ଭିଜା ଆଖିରେ ହସ୍ପିଟାଲରୁ ଦର୍ଶନ ସିଂହଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର ପାଇଁ ଆମ୍ବୁଲାନ୍ସରେ ଘରକୁ ଫେରୁଥିଲେ । ତେବେ ବାଟରେ ଆସିବା ବେଳେ ଆମ୍ବୁଲାନ୍ସ ଚକ ରାସ୍ତାରେ ଏକ ଖାଲ ମଧ୍ୟରେ ଖସି ପଡିଥିଲା । ଏହାପରେ ମୃତ ଘୋଷିତ ବୃଦ୍ଧ ନିଜ ହାତ ହଲାଉଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ଯାଞ୍ଚ କରିବାକୁ ତାଙ୍କର ନିଶ୍ବାସ ଚାଲୁଥିବାର ଜଣାପଡିଥିଲା ।