ଗାନ୍ଧୀନଗର:ପିଲାଟି ଦିନରୁ ଅସହ୍ୟ ଯନ୍ତ୍ରଣା(Unbearable pain) ସହି ଆସୁଥିଲେ । ଏଭଳି ବିରଳ ରୋଗରେ ଶିକାର ହୋଇଥିଲେ ଓଡିଆ ଯୁବତୀ ସାଇନା ମାଧେୱାଲ (Odisha's daughter Saina Madhewal) । ମାତ୍ର ଗୁଜୁରାଟ ଅହମ୍ମଦାବାଦ ସିଭିଲ ହସ୍ପିଟାଲ ସଫଳ ସର୍ଜରୀ ଆଜି ତାଙ୍କ ମୁହଁରେ ହସ ଭରି ଦେଇଛି । ପ୍ରତିଦିନ ସହି ଆସୁଥିବା ଯନ୍ତ୍ରଣାରୁ ଆଜି ତାଙ୍କୁ ମୁକ୍ତି ମିଳିଛି । ସାଇନା ଗୁରୁତର ରୋଗ ବ୍ଲାଡର ଏକ୍ସଟ୍ରୋଫି(Bladder exstrophy)ରେ ପୀଡ଼ିତ ଥିଲେ । ଏହି ରୋଗରେ କବଳିତ ହେଲେ ପରିସ୍ରାରେ ସମସ୍ୟା ଉପୁଜିଥାଏ । ତେବେ ଅହମ୍ମଦାବାଦର ଅଭିଜ୍ଞ ଡାକ୍ତରଙ୍କ ପ୍ରଚେଷ୍ଟାରେ ଆଜି ନୂଆ ଜୀବନ ଜିଇଁଛନ୍ତି ସାଇନା ।
Bladder exstrophy: ଅହମ୍ମଦାବାଦରେ ସଫଳ ହେଲା ସର୍ଜରୀ, ଅସହ୍ୟ ଯନ୍ତ୍ରଣାରୁ ଓଡ଼ିଆ ଯୁବତୀଙ୍କୁ ମୁକ୍ତି କଣ ଏହି ରୋଗ ?
ବ୍ଲାଡ଼ର ଏକ୍ସଟ୍ରୋଫି ହେଉଛି ଏକ ଗୁରୁତର ରୋଗ । ଏଥିରେ ଶିଶୁର ବ୍ଲାଡରଟି(ଏଥିରେ ମୂତ୍ର ଗଚ୍ଛିତ ହୋଇ ରୁହେ) ଶରୀର ବାହାରେ ବିକଶିତ ହୋଇଥାଏ । ଏହା ମୂତ୍ରକୁ ଗଚ୍ଛିତ କରି ରଖେ ନାହିଁ କି ସାଧାରଣ ଭାବେ କାମ କରିନଥାଏ । ଫଳରେ ମୂତ୍ର ଲିକ୍ ହୋଇଥାଏ । ଏହି ରୋଗ ଯୌନାଙ୍ଗ ସହିତ ଅନ୍ତଃନଳୀକୁ ପ୍ରଭାବିତ କରିଥାଏ । ଏହି ରୋଗ ହେଲେ ଶିଶୁକନ୍ୟାର vagina ସଠିକ ରୂପେ ବିକଶିତ ହୋଇନଥାଏ । ଶିଶୁଟି ମା' ପେଟର ଥିବା ସମୟରେ ହିଁ ଏହି ରୋଗ ସମ୍ପର୍କରେ ଜଣାପଡ଼ିଥାଏ । କିନ୍ତୁ କେତେକ କ୍ଷେତ୍ରରେ ଶିଶୁଟି ଜନ୍ମ ହେବା ପରେ ଜଣାପଡ଼େ । ଡାକ୍ତର ସର୍ଜରୀ କରିବା ଦ୍ବାରା ଏହି ରୋଗ ଭଲ ହୋଇଥାଏ ।
୧୩ ବର୍ଷ ଧରି ସହୁଥିଲେ ଅସହ୍ୟ ଯନ୍ତ୍ରଣା:-
ସାଇନା ଜଣେ ମଡେଲ ହେବାକୁ ସ୍ବପ୍ନ ଦେଖିଥିଲେ । ମାତ୍ର ଏହି ରୋଗ ଯୋଗୁଁ ସେ ଜିନ୍ସ, ଟପ୍ସ, କ୍ରପ ଟପ୍ସ ଆଦି ପିନ୍ଧି ପାରୁନଥିଲେ । ଏହା ବଦଳରେ ଛୋଟ ବେଳୁ ଏଯାବତ୍ ପ୍ରତିଦିନ ସେ ଡାଏପର ପିନ୍ଧୁଥିଲେ । କାରଣ ଏହି ରୋଗରେ ଆପେ ଆପେ ମୂତ୍ର ଲିକ୍ ହୋଇଥାଏ । ଏଥିଲାଗି ଯେଉଁଠି ବି ଥାଆନ୍ତୁ ସାଇନାଙ୍କୁ ସମୟ ବ୍ୟବଧାନରେ ଡାଏପର ବଦଳାଇବାକୁ ପଡ଼ିଥାଏ । ମାତ୍ର ଏବେ ଆଉ ଏହି ସମସ୍ୟା ଭୋଗିବେନି ସାଇନା । ଆଧୁନିକ ମେଡିକାଲ ସାଇନ୍ସ ଆଜି ତାଙ୍କୁ ଏହି ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ଦେଇଛି । ପ୍ରାୟ ୧୪ ଘଣ୍ଟାର ସର୍ଜରୀ ଓ ଅନ୍ୟାନ୍ୟ ପ୍ରକ୍ରିୟା ପରେ ସେ ଏଥିରୁ ମୁକ୍ତି ପାଇଛନ୍ତି ।
ମାଗଣାରେ ହେଲା ସର୍ଜରୀ:-
ଘରୋଇ ହସ୍ପିଟାଲରେ ଏହି ସର୍ଜରୀ ଲାଗି ୧୨ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଗୁଜୁରାଟ ସିଭିଲ ହସ୍ପିଟାଲରେ ଏହାକୁ ନିଶୁଳ୍କରେ କରାଯାଉଛି । ସାଇନା ପୂର୍ବରୁ ୩ ଥର ଏହାର ଉପଚାର ପାଇଁ ଉଦ୍ୟମ କରିଥିଲେ । ମାତ୍ର ସଫଳତା ମିଳିନଥିଲା । ସାଇନାଙ୍କ ପିଛାରେ ୪୦ ଲକ୍ଷ ଖର୍ଚ୍ଚ ହୋଇସାରିଛି ବୋଲି ତାଙ୍କ ମାଆ କହିଥିଲେ । ତେବେ ଝିଅ ଏବେ ସେହି ଯନ୍ତ୍ରଣାରୁ ମୁକ୍ତ ହେବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ।
ସାଇନାଙ୍କ ପ୍ରତିକ୍ରିୟା:-
ପିଲାଟି ଦିନରୁ ଡାଏପର ପିନ୍ଧି ବାହାରକୁ ଯିବାକୁ ସେ ଲଜ୍ଜିତ ଅନୁଭବ କରୁଥିଲେ । ସେ ଅନ୍ୟଙ୍କ ଠାରୁ ଭିନ୍ନ ଥିବାରୁ ଦୁଃଖ ପ୍ରକାଶ କରୁଥିଲେ । ମାତ୍ର ସେ ହାର ମାନିନଥିଲେ ଏବଂ ଦିନେ ନା ଦିନେ ଏହି ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିବ ବୋଲି ସେ ବିଶ୍ବାସ ରଖିଥିଲେ । ଏବେ ଦେଶରେ ଏଭଳି ସମସ୍ୟା ଅନେକଙ୍କ ଠାରେ ଦେଖିବାକୁ ମିଳୁଛି । ତେବେ ଯେଉଁ ଶିଶୁଙ୍କ ଠାରେ ଏହି ସମସ୍ୟା ରହିଛି, ସେମାନେ ଭାଙ୍ଗି ନ ପଡି ମନୋବଳ ଦୃଢ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।