ରାଞ୍ଚି:ସାହେବଗଞ୍ଜ ରେଳ ଷ୍ଟେସନରୁ ଦୁଇ ବର୍ଷର ଶିଶୁପୁତ୍ର ସହ ଜଣେ ଅସହାୟ ମହିଳାଙ୍କୁ ଉଦ୍ଧାର କରିଛି ରେଳବାଇ ପୋଲିସ । ତେବେ ମହିଳା ଜଣଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନଥିବାବେଳେ ସେ ଅସୁସ୍ଥ ଥିବା ଜଣାପଡିଛି । ଉକ୍ତ ମହିଳା ଜଣଙ୍କ ଓଡିଆ ଭାଷାରେ କଥା ହେଉଥିବାବେଳେ ସେ ଓଡିଶାର ବୋଲି ପ୍ରାଥମିକ ଭାବେ ରେଲବାଇ ପୋଲିସ ଅନୁମାନ କରୁଛି । ଉଭୟଙ୍କୁ ଉଦ୍ଧାର କରିବା ସହ ଶିଶୁପୁତ୍ରକୁ ଚାଇଲ୍ଡ ଲାଇନକୁ ଜିମା ଦିଆଯାଇଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁସାରେ ସାହେବଗଞ୍ଜ ରେଳ ଷ୍ଟେସନ ପରିସରରେ ମହିଳା ଜଣଙ୍କ ନିଜ ଦୁଇ ବର୍ଷର ଶିଶୁପୁତ୍ର ସହ ଅସହାୟ ଭାବେ ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ମହିଳାଙ୍କୁ ଏପରି ଅସହାୟ ଅବସ୍ଥାରେ ଦେଖି ରେଲବାଇ ପୋଲିସର ଅଧିକାରୀମାନେ ତାଙ୍କୁ ଉଦ୍ଧାର କରିବା ସହ ପଚରା ଉଚରା କରିଥିଲେ । ତେବେ ମହିଳା ଜଣଙ୍କ କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିବାବେଳେ କେବଳ ଓଡିଆ ଭାଷାରେ କଥା ହେଉଥିବା ଦେଖିବାକୁ ମିଳିଥିଲା । ଏପରି ସ୍ଥଳେ ମହିଳା ଜଣଙ୍କ ଅସୁସ୍ଥଥିବା ଯୋଗୁ ତାଙ୍କୁ କୋଭିଡ ଟେଷ୍ଟିଂ ସେଣ୍ଟରକୁ ପଠାଯାଇଛି ।