ଭୁବନେଶ୍ବର:ଦୁର୍ଘଟଣା ଯେତିକି ଭୟଙ୍କର ଥିଲା ତାକୁ ବଳିଗଲା ପରବର୍ତ୍ତୀ ଦୁର୍ଦ୍ଦଶା । ଧାଡି ଧାଡି ହୋଇ ରଖାଯାଇଛି ମୃତଦେହ । ବିଭିନ୍ନ ରାଜ୍ୟରୁ ଆସିଛନ୍ତି ସମ୍ପର୍କୀୟ । ହେଲେ ଏତେ ସଂଖ୍ୟକ ମୃତଦେହ ମଧ୍ୟରେ ସହଜ ହେଉନି ଚିହ୍ନଟ ପ୍ରକ୍ରିୟା । କିଏ ହାତରେ ମୃତକଙ୍କ ପରିଚୟ ପତ୍ର ଧରିଛନ୍ତି, ତ କେହି ମୋବାଇଲରେ ଫଟୋ ଦେଖାଉଛନ୍ତି । ଚିହ୍ନଟ ପ୍ରକ୍ରିୟା ସଠିକ ହେଲେ ମୃତଦେହ ହସ୍ତାନ୍ତର କରିବ ପ୍ରଶସାନ । ଭୁବନେଶ୍ବରରେ ଏପରି କିଛି ଅବସ୍ଥା ଦେଖିବାକୁ ମିଳିଛି । ସରକାରୀ ସୂତ୍ରରୁ ସୂଚନା ଅନୁସାରେ ମୋଟ 275 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସୁଦ୍ଧା 187 ମୃତଦେହ ଚିହ୍ନଟ ହୋଇପାରିନାହିଁ । ମୃତଦେହ ଗୁଡିକୁ ରଖାଯାଇଥିବା ସ୍ଥାନରେ ସେମାନଙ୍କର ଫଟୋ ମଧ୍ୟ ଲଗାଇଛି ପ୍ରଶାସନ । ବିଭିନ୍ନ ରାଜ୍ୟରୁ ମୃତକଙ୍କ ସମ୍ପର୍କୀୟମାନେ ମଧ୍ୟ ଆସି ପହଞ୍ଚିଛନ୍ତି । ଫଟୋ ଦେଖି ସେମାନେ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରୁଛନ୍ତି ।
ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ମୋଟ ମୃତ୍ୟୁସଂଖ୍ୟା 275 । ପୂର୍ବରୁ ଦୁର୍ଘଟଣା ସ୍ଥଳ ଓ ବିଭିନ୍ନ ହସ୍ପିଟାଲରେ ଗଣତି ଅନୁସାରେ ଏହି ସଂଖ୍ୟା 288 କୁହାଯାଉଥିଲା । ତେବେ ଉଦ୍ଧାର ଅପରେସନ ଶେଷ ହେବା ପରେ ପୁନଃଗଣତିରେ ମୃତ୍ୟୁସଂଖ୍ୟା 275 ନେଇ ସ୍ପଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ 78 ଟି ମୃତଦେହର ଚହ୍ନଟ ପ୍ରକ୍ରିୟା ଶେଷ କରାଯାଇ ପରବାର ସଦସ୍ୟଙ୍କୁ ହସ୍ତାନ୍ତର ମଧ୍ୟ କରାଯାଇସାରିଛି । ଏବେ ଆଉ 10 ମୃତଦେହର ଚିହ୍ନଟ ହୋଇଛି । ସେମାନଙ୍କ ପରିଜନକୁ ହସ୍ତାନ୍ତର କରାଯିବ । ଅନ୍ୟ ଚିହ୍ନଟ ହୋଇନଥିବା ମୃତଦେହକୁ ସଂରକ୍ଷିତ ରଖାଯାଇଛି । ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପୁରା ପ୍ରକ୍ରିୟା ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯିବା ସହ ହେଲ୍ପଲାଇନ ନମ୍ବର ଜାରି କରାଯଇଛି । ମୃତକଙ୍କ ପରିଜନ ଏହି ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରି ସୂଚନା ପାଇପାରିବେ ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ଦୁର୍ଘଟଣା ପରେ ଅଧିକାଂଶ ମୃତଦେହ ବାଲେଶ୍ବରରେ ରହିଥିଲା । ଏଗୁଡିକ ମଧ୍ୟରୁ 187 ଅଚିହ୍ନିତ ମୃତଦେହ ଭୁବନେଶ୍ବର ଅଣାଯାଇଛି । ପ୍ରାୟ 85 ଆମ୍ବଲାନ୍ସ ଏହି ମୃତଦେହ ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ପ୍ରତ୍ୟେକ ଆମ୍ବଲାନ୍ସରେ ମାତ୍ର ଦୁଇଟି ମୃତଦେହ ଅଣାଯାଉଛି । ଭୁବନେଶ୍ବରର ଏକାଧିକ ବ୍ୟବଚ୍ଛେଦ ଗୃହରେ ଏଗୁଡିକ ସଂରକ୍ଷିତ ରଖାଯାଉଛି । ବିଭିନ୍ନ ରାଜ୍ୟରୁ ପରିଜନମାନେ ଆସି ମୃତଦେହ ଚିହ୍ନଟ କରିବାରେ ଲାଗିଛନ୍ତି ।