ନୂଆଦିଲ୍ଲୀ: ଦିଲ୍ଲୀରେ ଓଡିଆ RAW ଅଫିସରଙ୍କ ଆତ୍ମହତ୍ୟା । ସୋମବାର ସକାଳେ ଜାତୀୟ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗର(RAW) ଜଣେ ଓଡିଆ ଅଫିସର ନିଜ କାର୍ଯ୍ୟାଳୟର ୧୦ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି(Odisha RAW officer jumps to death from office building) । ମୃତକଙ୍କ ନାମ ଅନିକେତ କୁମାର ଏବଂ ତାଙ୍କର ଘର କଟକରେ ହୋଇଥିବା ଜଣାପଡିଛି । ପାରିବାରିକ କାରଣକୁ ନେଇ ସେ ମାନସିକ ଚିନ୍ତାରେ ଥିଲେ । ଏହି କାରଣରୁ ଅନିକେତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ସୂଚନା ମୁତାବକ, ସୋମବାର ସକାଳେ ଅନିକେତ କୁମାର(Aniket Kumar) ଦିଲ୍ଲୀର ଲୋଧି କଲୋନୀ ସ୍ଥିତ ନିଜ ଅଫିସ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କିଛି ସମୟ ପରେ ସେ ଅଫିସ ଝରକାରୁ ଡେଇଁ ପଡିଥିଲେ । ଖବର ପାଇ ଲୋଧି କଲୋନୀ ପୋଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ରଖାଯାଇଛି ।
ଦିଲ୍ଲୀ ପୋଲିସର କହିବାନୁଯାୟୀ, RAW ଅଧିକାରୀ ଅନିକେତ କୁମାର କିଛି ଦିନ ହେଲା ମାନସିକ ଚିନ୍ତାଗ୍ରସ୍ତ ଥିଲେ । ପାରିବାରିକ କାରଣକୁ ନେଇ ସେ ଚିନ୍ତିତ ରହୁଥିଲେ । ସେ ର' ଏଜେନ୍ସି ଅଧିକାରୀ ହୋଇଥିବାରୁ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରାଯାଉଛି । ପ୍ରାଥମିକ ତଦନ୍ତରୁ ଡିପ୍ରେସନ ଯୋଗୁଁ ସେ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଏନେଇ ତାଙ୍କ ସହକର୍ମୀମାନେ କହିଛନ୍ତି, ଅନିକେତ ସବୁଦିନ ଭଳି ଗତକାଲି ମଧ୍ୟ ଅଫିସ ଆସିଥିଲେ ଏବଂ କାମ କରୁଥିଲେ । ସମସ୍ତଙ୍କ ସହ ତାଙ୍କର ବ୍ୟବହାର ବହୁତ ଭଲ ଥିଲା । ହେଲେ ହଠାତ୍ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ଏହାମଧ୍ୟ ପଢନ୍ତୁ: ମିଜୋରାମରେ ଖସିଲା ପଥର ଅତଡ଼ା: 8 ମୃତ, ଉଦ୍ଧାର କାର୍ଯ୍ୟ ଜାରି
ପୋଲିସ ମୃତ ର' ଅଫିସରଙ୍କ ପରିଜନଙ୍କୁ ତାଙ୍କ ମୃତ୍ୟୁ ସମ୍ପର୍କରେ ଖବର ଦେଇଛି । ଏହି ମାମଲରେ ଅଫିସରେ କାମ କରୁଥିବା ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରାଯାଉଛି । ତେବେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର ଠୋସ୍ କାରଣ ମିଳିନଥିବା ପୋଲିସ ଜଣାଇଛି । ମାମଲାରେ ଅଧିକ ତନାଘନା କରାଯାଉଛି ।