ଭୁବନେଶ୍ବର:ପୂର୍ବାପେକ୍ଷା ଓଡିଶାକୁ ମିଳିଛି ଯଥେଷ୍ଟ ରେଳ ଅନୁଦାନ ରାଶି । ପ୍ରଧାନମନ୍ତ୍ରୀଙ୍କ ଫୋକସରେ ରହିଛି ଓଡିଶା । UPA ସମୟ ଠାରୁ ଏବେ 4 ଗୁଣା ଅନୁଦାନ ଓଡିଶାକୁ ଦିଆଯାଉଛି । ରାଜ୍ୟର 12ଟି ଷ୍ଟେସନର ଅପଗ୍ରେଡସନ ହେବା ନେଇ ଯୋଜନା ଚୂଡାନ୍ତ ହୋଇଥିବା ସହ 3,000 ଉପରେ ହେବ ମୋବାଇଲ ଟାୱାରର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି (ରବିବାର) ଓଡିଶା ଗସ୍ତରେ ଆସିଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 2022-23 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟରେ ଓଡିଶା ପାଇଥିବା ଅନୁଦାନ ରାଶି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।
ରେଳମନ୍ତ୍ରୀ କହିଛନ୍ତି, ଓଡିଶା ପାଇଁ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ବିଶେଷ ସ୍ଥାନ ରହିଛି । ଆଗରୁ ଓଡିଶାକୁ ଯେପରି ଆର୍ଥିକ ଅନୁଦାନ ଦରକାର ଥିଲା ତାହା ମିଳିପାରୁ ନଥିଲା ମାତ୍ର ଆଜି ଯାହା ଦାବି କରାଯାଉଛି ତାହାଠୁ ଅଧିକ ମିଳୁଛି । ଉଦାହରଣ ସ୍ୱରୂପ ରେଳ ବିଭାଗକୁ 2014 ରୁ 2019 ମଧ୍ୟରେ ଅନୁଦାନ ବଢି ଚାଲିଛି । ଚଳିତ ବର୍ଷ 9,734 କୋଟି ଟଙ୍କାର ରେକର୍ଡ ସଂଖ୍ୟକ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି ଅଶ୍ବିନୀ ।
ଅଶ୍ବିନୀ ଆହୁରି ମଧ୍ୟ କହିଛନ୍ତି, ଏହି ଅର୍ଥକୁ ଖର୍ଚ୍ଚ କରିବାକୁ ଆମ ସମସ୍ତଙ୍କୁ ମିଳିତ ଉଦ୍ୟମ କରିବାକୁ ହେବ । ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିୟରାନ୍ସ ହୋଇପାରିବା ସହ ଏହି ଅନୁଦାନ ରାଶି ସଫଳତାର ସହ ଖର୍ଚ୍ଚ କରିପାରିଲେ ରାଜ୍ୟକୁ ଅଧିକ ଅର୍ଥ ମିଳିପାରିବ । ସେହିପରି ଟେଲିକମ ସେକ୍ଟରରେ 3,933 ନୂଆ ସାଇଟକୁ ଚୟନ କରାଯାଇଛି । ଏହା ବାଦ ମଧ୍ୟ କୌଣସି ଗ୍ରାମ ବାଦ ପଡିଲେ ତାହାକୁ ମଧ୍ୟ ତାଲିକାରେ ଅନ୍ତର୍ଭୂକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି ବୋଲି ମଧ୍ୟ ଅଶ୍ବିନୀ ବୈଷ୍ଣବ ଏ ନେଇ ସ୍ପଷ୍ଟ କରିଛନ୍ତି ।