ଲକ୍ଷ୍ନୌ: ଅଯୋଧ୍ୟାରେ ଶ୍ରୀରାମ ମନ୍ଦିର ଉଦଘାଟନୀ ମହୋତ୍ସବରୁ ନେଇ ଉତ୍ସବମୁଖର ସମଗ୍ର ଦେଶ । ଜାନୁଆରୀ 22ରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ରାମ ମନ୍ଦିର ଖୋଲିବା ପରେ ଦେଶ ବିଦେଶରୁ ଅନେକ ଭକ୍ତଙ୍କର ସମାଗମ ହେବ । ସେନେଇ ପୂର୍ବରୁ ଶ୍ରୀରାମ ରାମ ଜନ୍ମଭୂମି ତିର୍ଥ କ୍ଷେତ୍ରର ଟ୍ରଷ୍ଟ ଉପୁଜି ଥିବା ଭାଷାଗତ ସମସ୍ୟାର ସମାଧାନ ପାଇଁ ଭାଷା ବିଶେଷଜ୍ଞ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଉନ୍ମୋଚିତ ହୋଇଥିବା ନାମ ଫଳକରେ 22ଟି ଭାଷାରେ ଲେଖାଥିବା ଦେଖାଯାଇଛି । ଯାହା ମଧ୍ୟରେ ଓଡ଼ିଆ ଭାଷାକୁ ସବୁଠାରୁ ଉପରେ ସ୍ଥାନ ଦିଆଯାଇଛି ।
ତେବେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଦେଶ ତଥା ବିଦେଶରୁ ଅନେକ ଭକ୍ତଙ୍କ ସମାଗମ ହେବ । ଦେଶର ବିଭିନ୍ନ ସ୍ଥାନରୁ ବିଶେଷ କରି ଦକ୍ଷିଣ ଓ ଦକ୍ଷିଣପୂର୍ବ ଭାଗରୁ ଅଧିକ ଭକ୍ତଙ୍କ ସମାଗମ ଅଯୋଧ୍ୟାକୁ ହୋଇଥାଏ । ତେବେ ଏହା ଫଳରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଏହା ଏକ ସୁବିଧା ଜନକ ବ୍ୟବସ୍ଥା କୁହାଯାଇହେବ । ତେବେ ସେହି ନାମ ଫଳକରେ ଓଡ଼ିଆ ସମେତ ଭାରତୀୟ ଭାଷା ମଧ୍ୟରେ ହିନ୍ଦୀ, ଉର୍ଦ୍ଦୁ, ଅହମିଆ, କନ୍ନଡ଼, କାଶ୍ମୀରି, କୋଙ୍କଣୀ, ଗୁଜୁରାଟୀ, ଡୋଗରୀ, ତାମିଲ, ତେଲୁଗୁ, ନେପାଳୀ, ପଞ୍ଜବୀ, ବଙ୍ଗାଳୀ, ବୋଦୋ, ମଣିପୁରୀ, ମରାଠୀ, ମାଲାୟାଲମ, ମୌଥେଳୀ, ସାନ୍ତାଳି, ସଂସ୍କୃତ ଏବଂ ସିନ୍ଦି ଭାଷା ଆଦି ସ୍ଥାନ ପାଇଛି । ସେହିଭଳି ବିଦେଶୀ ଭାଷା ମଧ୍ୟରେ ଆରବିକ, ଚାଇନିଜ, ଫ୍ରେଞ୍ଚ, ଇଂରାଜୀ, ରୁଷୀୟ ଏବଂ ସ୍ପାନିଶ ଭାଷାକୁ ମଧ୍ୟ ସ୍ଥାନ ଦିଆଯାଇଛି ।