ଚଣ୍ଡିଗଡ଼: କୋରୋନା ମହାମାରୀ ସମୟରେ ସ୍ବାସ୍ଥ୍ୟକର୍ମୀମାନେ ଦିନରାତି ରୋଗୀଙ୍କ ସେବା କରି ଲୋକଙ୍କୁ ମହାମାରୀ ଠାରୁ ରକ୍ଷା କରୁଛନ୍ତି । ନିଜର ବୃତ୍ତି ସହିତ ଆଉ କିଛି ସ୍ବାସ୍ଥ୍ୟକର୍ମୀ ଗୋଟିଏ ପାଦ ଆଗକୁ ବଢାଇ ଅନ୍ୟ କାର୍ଯ୍ୟ ମଧ୍ୟ କରୁଛନ୍ତି । ହରିୟାଣା ଚଣ୍ଡିଗଡ଼ ସେକ୍ଟର 16ରେ ଥିବା ହସ୍ପିଟାଲର କାର୍ଯ୍ୟରତ ନର୍ସିଂ ଅଫିସର ସପନା ଚୌଧୁରୀ ନିଜ କାର୍ଯ୍ୟ କରିବା ସହିତ ଲୋକଙ୍କୁ ପରିବେଶର ଗୁରୁତ୍ବ ବୁଝାଇଛନ୍ତି । ନିଜ ଘରେ ବଗିଚା ତିଆରି କରିବା ସହିତ ଅଦରକାରୀ ପ୍ଲାଷ୍ଟିକରେ ନିଜ କଳାର ଛାପ ଛାଡି ପ୍ରସ୍ତୁତ କରୁଛନ୍ତି ଆକର୍ଷଣୀୟ ପଶୁ ଆକୃତିର କୁଣ୍ଡ ।
ସପନା ନିଜ ଘରେ, ନିଜ ହାତରେ ତିଆରି କରିଛନ୍ତି ଏକ ସୁନ୍ଦର ରଙ୍ଗବେରଙ୍ଗର ବଗିଚା । ବଗିଚାରେ ସେ ବିଭିନ୍ନ ପ୍ରକାରର ଚାରାଗଛ ଲଗାଇଛନ୍ତି । ଆଉ ଏହି ବଗିଚାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେଉଛି ଚାରାରେ ଲାଗିଥିବା କୁଣ୍ଡ। ଏହାକୁ ସପନା ନିଜ ହାତରେ ପ୍ରସ୍ତୁତ କରିଛନ୍ତି । କୁଣ୍ଡ ଘରର ଆବର୍ଜନାରୁ ସେ ତିଆରି କରିଛନ୍ତି । ସପନାଙ୍କ ହାତର ସ୍ପର୍ଶ ପାଇ କୁଣ୍ଡଗୁଡିକ ଖୁବ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଉଛି । କୁଣ୍ଡଗୁଡିକୁ ନାନା ରଙ୍ଗରେ ବିଭିନ୍ନ ପଶୁର ରୂପ ଦେଇଛନ୍ତି ସପନା । ଦୀର୍ଘ 8 ମାସର ପରିଶ୍ରମ ପରେ ସେ ସୁନ୍ଦର ଓ ସ୍ବତନ୍ତ୍ର ବଗିଚା ଗଢିଛନ୍ତି ।
ପଞ୍ଚାବ ୟୁନିର୍ଭସିଟି ପରିସର ବଗିଚାରୁ ପ୍ରେରଣା ପାଇ ଚାରା ଲଗାଇବା ଆରମ୍ଭ କରିଥିଲେ ସପନା । ହେଲେ ତାଙ୍କ କାର୍ଯ୍ୟରେ ବଜାରରେ ମିଳୁଥିବା ମହଙ୍ଗା କୁଣ୍ଡ ବାଧକ ସାଜିଥିଲା । ଏଥିପାଇଁ ସେ ନିଜର ପ୍ରତିଭା ଓ କୌଶଳକୁ ବ୍ୟବହାର କରି ଅଦରକାରୀ ପ୍ଲାଷ୍ଟିକକୁ ସୁନ୍ଦର କୁଣ୍ଡର ରୂପ ଦେଇଥିଲେ । ଏହାସହିତ ବୋତଲ ଓ ଡବାରେ ଅଲଗା ଅଲଗା ପଶୁ ଓ ମଣିଷଙ୍କ କଳାକୃତି କରି ସେଥିରେ ନାନା ରକମର ରଙ୍ଗ ଭରିଥିଲେ ।