ଭୋପାଳ:ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ କୋଭିଡ ହସ୍ପିଟାଲରେ ରେମଡେସିଭିର ଇଞ୍ଜେକସନ କଳାରେ ବିକ୍ରି ହେଉଥିବା ଅଭିଯୋଗ ଆସିଛି । ତେବେ ଏହି କୋଭିଡ ହସ୍ପିଟାଲରେ କାର୍ଯ୍ୟ କରୁଥିବା ନର୍ସ ଶାଲିନି ବର୍ମା ନିଜ ପ୍ରେମିକଙ୍କ ସହିତ ମିଶି ଏହି ଅପରାଧିକ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି । ଉଭୟ ପୋଲିସ ସମ୍ମୁଖରେ ପଚରାଉଚୁରା ସମୟରେ ନିଜ ଦୋଷ ମାନିଥିବା ପୋଲିସ ସୂଚନା ଦେଇଛି ।
କୋଭିଡ ସମୟରେ ନର୍ସ ଆଦି ସ୍ବାସ୍ଥ୍ୟକର୍ମୀମାନଙ୍କୁ କୋଭିଡ଼ ଯୋଦ୍ଧା ଭାବେ ବିବେଚନା କରାଯାଉଥିବା ବେଳେ ଏଭଳି ଜଣେ ନର୍ସଙ୍କ ନିନ୍ଦନୀୟ କାର୍ଯ୍ୟ ସାମନାକୁ ଆସିଛି । ଏହି ନର୍ସ ଜଣକ କୋଭିଡ ଆକ୍ରାନ୍ତଙ୍କୁ ରେମଡେସିଭିର ଇଞ୍ଜେକ୍ସନ ବଦଳରେ ସାଧାରଣ ଇଞ୍ଜେକସନ ଦେଉଥିବା ଜଣାପଡିଛି । ଏହାପରେ ଉକ୍ତ ଆକ୍ରାନ୍ତଙ୍କୁ ଦେବାକୁ ଥିବା ରେମଡେସିଭିର ଇଞ୍ଜେକସନକୁ ସେ ନିଜ ପ୍ରେମିକ ଝାଲଖାନଙ୍କୁ ଦେଉଥିଲେ । ଏହାପରେ ସେମାନେ ରେମଡେସିଭିର ଇଞ୍ଜେକସନକୁ କଳାରେ ବିକ୍ରି କରିବା ସହିତ ପ୍ରାୟ 20 ହଜାର ଟଙ୍କା ରୋଜଗାର କରିଥିବା ପୋଲିସ ସୂଚନା ଦେଇଛି ।