ଓଡିଶା

odisha

ETV Bharat / bharat

Haryana violence: 2 ପୋଲିସ କର୍ମୀଙ୍କ ସମେତ 6 ମୃତ, ଗିରଫ ହେଲେଣି 116 - ନୁହ ସାମ୍ପ୍ରଦାୟିକ ଦଙ୍ଗା

ହରିୟାଣା ନୁହରେ ହିଂସାରେ ଦୁଇ ପୋଲିସ କର୍ମୀଙ୍କ ସମେତ 6 ଜଣଙ୍କ ଯାଇଛି ଜୀବନ । ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଥିବା ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସୂଚନା । ଅଧିକ ପଢନ୍ତୁ

Haryana violence: 6 ମୃତ, ଗିରଫ ହେଲେଣି 116 ଗିରଫ
Haryana violence: 6 ମୃତ, ଗିରଫ ହେଲେଣି 116 ଗିରଫ

By

Published : Aug 2, 2023, 9:50 PM IST

ଚଣ୍ଡିଗଡ:ହରିୟାଣାର ନୁହ ଜିଲ୍ଲାରେ ସୋମବାର ଏକ ଧାର୍ମିକ ଶୋଭାଯାତ୍ରା ବେଳେ ହୋଇଥିବା ହିଂସାକାଣ୍ଡରେ ମୋଟ 6 ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ 2 ଜଣ ପୋଲିସ କର୍ମୀ ଓ ଅବଶିଷ୍ଟ 4 ଜଣ ସାଧାରଣ ନାଗରିକ ରହଛନ୍ତି । ରାଜ୍ୟରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ନୁହ ସମେତ ଗୁରୁଗ୍ରାମ ଓ ଅନ୍ୟ କିଛି ସ୍ଥାନରେ ରାଜ୍ୟ ପୋଲିସ ବଳ ଓ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଛନ୍ତି । ଏବେ ସୁଦ୍ଧା ମୋଟ 116 ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ଯମନ୍ତ୍ରୀ ମନୋହର ଲାଲ ଖଟ୍ଟର ।

ଆଜି (ବୁଧବାର) ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଖଟ୍ଟର କହିଛନ୍ତି, ଯାହା ଘଟିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କୁ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ସରକାର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସାରେ ଯେ କେହି ବି ସମ୍ପୃକ୍ତ,ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପ୍ରକ୍ରିୟା ଜାରି ରହିଛି । ଏବେ ସୁଦ୍ଧା ବିଭିନ୍ନ ସ୍ଥାନରେ 116 ଜଣ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ରାଜ୍ୟରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି । ରାଜ୍ୟ ପୋଲିସ ସହ କେନ୍ଦ୍ରୀୟ ଫୋର୍ସ ମଧ୍ଯ ମୁତୟନ ହୋଇଛନ୍ତି । ଫେରାର ହିଂସାକାରୀଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେହିପରି ସେ ରାଜ୍ୟବାସୀଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

ରାଜ୍ୟରେ ଏବେ ଆଇନ ଶୃଙ୍ଖଳା ସ୍ଥିତିକୁ ଦୃଷ୍ଟିରେ ରଖି 8ଟି ଜିଲ୍ଲାରେ ଧାରା 144 କାର୍ଯ୍ୟକାରୀ କରାଯାଇଛି । ନୁହ, ପାଲୱାଲ, ଫରିଦାବାଦ, ରେୱାରୀ, ଗୁରୁଗ୍ରାମ, ମହେନ୍ଦ୍ରଗଡ, ସୋନିପତ ଏବଂ ପାନିପତ ଜିଲ୍ଲାରେ 144 ଧାରା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖାଯିବା ସହ କିଛି ସ୍ଥାନରେ ହିଂସା ପରଠାରୁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି ।

ଏହା ମଧ୍ୟ ପଢନ୍ତୁ:-ହରିୟାଣା ହିଂସାକୁ ନେଇ ଦିଲ୍ଲୀରେ ପ୍ରତିବାଦ, ଅତିରିକ୍ତ ଫୋର୍ସ ମୁତୟନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ହରିୟାଣାର ନୁହ ଜିଲ୍ଲାରେ ସୋମବାର ହିନ୍ଦୁ ସଂଗଠନର ଶୋଭାଯାତ୍ରା ବେଳେ ହୋଇଥିବା ବ୍ୟାପକ ହିଂସା ନେଇ ଆଜି ଦିଲ୍ଲୀରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ । ହିଂସା ଓ ଉତ୍ତେଜନା ଆଶଙ୍କାରେ ଶୋଭାଯାତ୍ରାକୁ ବାରଣ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଏକ ମାମଲା ମଧ୍ୟ ଦାଏର ହୋଇଥିଲା । ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ କୌଣସି ହିଂସା ଯେପରି ନଘଟେ, ସେନେଇ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ହିଂସାରେ ଆତଙ୍କୀ ଲିଙ୍କ୍‌ ଥିବା ଅଭିଯୋଗରେ ହିନ୍ଦୁ ସଂଗଠନ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details