ନୂଆଦିଲ୍ଲୀ:ବିଦେଶ ଗସ୍ତରେ ଯାଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଦେଶୀ ଇଭେଣ୍ଟରେ ବିଜେପି ଓ ମୋଦି ନେତୃତ୍ବାଧୀନ ସରକାରକୁ ସମାଲୋଚନା କରିବାର ଉଦାହରଣ ବେଶ ପୁରୁଣା । ଆଜି ସେହିକ୍ରମରେ ପ୍ୟାରିସ ଗସ୍ତରେ ଥିବା ରାହୁଲ ବିଜେପିର ହିନ୍ଦୁତ୍ବ ରାଜନୀତିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି, ହିନ୍ଦୁ ଧର୍ମଗ୍ରସ୍ତରେ ଯାହା ହିନ୍ଦୁତ୍ବ ସମ୍ପର୍କରେ ଉଲ୍ଲେଖ ରହିଛି, ତାହା ବିଜେପିର ହିନ୍ଦୁତ୍ବ ନୁହେଁ । ଭାରତୀୟ ଜନତା ପାର୍ଟି କରୁଥିବା କାର୍ଯ୍ୟକ୍ରମ ହିନ୍ଦୁ ଧର୍ମଗ୍ରସ୍ତରେ ନାହିଁ । ଆଜି ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନ୍ତବ୍ୟ ରଖି ରାହୁଲ ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଫ୍ରାନ୍ସ ରାଜଧାନୀ ପ୍ୟାରିସର ସାଇନ୍ସ ପିଓ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରାହୁଲ କହିଛନ୍ତି, "ମୁଁ ଏକାଧିକ ହିନ୍ଦୁଗ୍ରନ୍ଥ ପାଠ କରିଛି । ଗୀତା ସମେତ ହିନ୍ଦୁ ଧର୍ମର ଏକାଧିକ ଉପନିଷଦ ପାଠ କରିଛି । ସେଥିରେ ବିଜେପି କରୁଥିବା ପରି ହିନ୍ଦୁତ୍ବ ଆଦୌ ନାହିଁ । ନିଜଠାରୁ ଦୁର୍ବଳ ଶ୍ରେଣୀକୁ ଆତଙ୍କିତ କରି କିମ୍ବା କ୍ଷତି ପହଞ୍ଚାଇବା ହିନ୍ଦୁତ୍ବ ନୁହେଁ । ସେପରି କିଛି ଶବ୍ଦ ହିନ୍ଦୁଗ୍ରନ୍ଥରେ ନାହିଁ । ସେମାନେ କେବେ ହିନ୍ଦୁ ରାଷ୍ଟ୍ରବାଦୀ ନୁହନ୍ତି । ସେମାନେ କେବଳ କ୍ଷମତା ହାସଲ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଭାରତୀୟ ସମାଜରେ ଥିବା ଜାତିପ୍ରଥା କିପରି ବଞ୍ଚି ରହିବ ତାହା ସେମାନେ ନିଶ୍ଚିତ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ।"
ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ବିଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ବର୍ଷିଥିଲେ । ‘ଭାରତ ଯୋଡ ଯାତ୍ରା’ ଶେଷ କରିବା ପରେ ଗତବର୍ଷ ଲଣ୍ଡନ ଗସ୍ତ କରିଥିବା ରାହୁଲ ଭାରତରେ ଗଣତନ୍ତ୍ର ଅସୁରକ୍ଷିତ ବୋଲି କହିଥିଲେ । ବିରୋଧୀଙ୍କୁ ସଂସଦରେ କହିବାକୁ ସୁଯୋଗ ଦିଆଯାଉନାହିଁ । ସେମାନେ ସଂସଦରେ ମତ ରଖିବାକୁ ପ୍ରୟାସ କଲେ, ସେମାନଙ୍କ ମାଇକ ବନ୍ଦ କରିଦିଆଯାଉଛି । ସରକାର ବିଦେଶୀ ସ୍ପାଏ ସଫ୍ଟଓ୍ବେର ବ୍ୟବହାର କରି ବିରୋଧୀଙ୍କ ମୋବାଇଲ ଟ୍ରାକ୍ କରୁଛନ୍ତି । ଏପରିକି ତାଙ୍କ ମୋବାଇଲ ମଧ୍ୟ ପେଗାସସ ସ୍ପାଏଓ୍ବେର ଦ୍ବାରା ଗୁପ୍ତଚରଗିରିର ଶିକାର ହୋଇଥିବା ରାହୁଲ କହିଥିଲେ ।