ରାୟପୁର: ଦେଶର ଅନ୍ୟତମ ମାଓପ୍ରବଣ ଦୁର୍ଗମ ଅଞ୍ଚଳ ଛତିଶଗଡର ବସ୍ତରରେ ମାଓଦମନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି କେନ୍ଦ୍ରୀୟ ଫୋର୍ସ । ହେଲେ ଏଠାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଯବାନମାନେ କେବଳ ମାଓବାଦୀଙ୍କ ସହ ନୁହେଁ ବରଂ ମଶାଙ୍କ ସହ ମଧ୍ୟ ପ୍ରାଣମୂର୍ଚ୍ଛା ଲଢେଇ କରୁଛନ୍ତି । ଦୁର୍ଗମ ପାହାଡ, ଜଙ୍ଗଲ ଅଞ୍ଚଳରେ ଯବାନଙ୍କ ପାଇଁ ଏବେ ମ୍ୟାଲେରିଆ ଘାତକ ସାବ୍ୟସ୍ତ ହେବା ପରି ସ୍ଥିତି ସୃଷ୍ଟି ହୋଇଛି । ଆଜି ଜଣେ ମ୍ୟାଲେରିଆ ଆକ୍ରାନ୍ତ ଯବାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଗ୍ରୀନ କରିଡର ମାଧ୍ୟମରେ ଜଗଦଲପୁର ଏୟାରପୋର୍ଟକୁ ନିଆଯାଇଛି । ପରେ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରୁ ନକ୍ସଲ ଦମନରେ କାର୍ଯ୍ୟରତ ଥିବା ଯବାନଙ୍କ ପ୍ରତିକୂଳ ପରିବେଶ ଚିତ୍ର ସାମ୍ନାକୁ ଆସିଛି ।
ମିଳିଥିବା ସୂଚନା ଅନୁସାରେ, ବସ୍ତର ଡିଭିଜନର ଲାଲଗଡ ଭାବେ ଜଣାଶୁଣା ବିଜାପୁର ଜିଲ୍ଲାରେ କାର୍ଯ୍ୟରତ ଥିବା CRPF-153 ବାଟାଲିୟନର ଯବାନ ଆକାନ ରାଓ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଗୁରୁତର ହୋଇପଡିଛନ୍ତି । ଏହା ପୂର୍ବରୁ ଯବାନଙ୍କୁ ବିଜାପୁର ଜିଲ୍ଲାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ 28 ତାରିଖରେ ଡିମ୍ରାପାଲ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି ।
ଡିମ୍ରାପାଲ ମେଡିକାଲ କଲେଜରୁ ଜଗଦଲପୁର ବିମାନ ବନ୍ଦର ପର୍ଯ୍ୟନ୍ତ 11 କିଲୋମିଟର ରାସ୍ତାରେ ଗ୍ରୀନ କରିଡର କରି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଯବାନଙ୍କୁ ନିଆଯାଇଥିଲା । ଏହି ଗ୍ରୀନ କରିଡର ସ୍ଥାନୀୟ ପ୍ରଶାସନ ଓ ପୋଲିସ ସହଯୋଗରେ କରାଯାଇଥିଲା । ସିଆରପିଏଫ ଏସକର୍ଟରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସରେ ଯବାନ ପ୍ରଥମେ ଜଗଦଲପୁର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ ଦିଲ୍ଲୀ ଏମ୍ସ ପଠାଯାଇଛି ।