ହାଇଦ୍ରାବାଦ:ଆଜି ସଂସଦରେ ଉପସ୍ଥାପିତ ହୋଇଛି ନରେନ୍ଦ୍ର ମୋଦି ନେତୃତ୍ବାଧୀନ ଏନଡିଏ ସରକାରର ଦ୍ବିତୀୟ ପାଳିର ଅନ୍ତିମ ପୂର୍ଣ୍ଣାଙ୍ଗ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ବୁଧବାର) ଏହି ବଜେଟ ଉପସ୍ଥାପନ କରିଛନ୍ତି । ତେବେ ବଜେଟକୁ ପ୍ରଶଂସା କରିବା ସହ ଅର୍ଥମନ୍ତ୍ରୀ ସୀତାରଣକୁ ପ୍ରଧାନମନ୍ତ୍ରୀ ମୋଦି ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ଚିରାଚରିତ ଭାବେ ବଜେଟକୁ ସମାଲୋଚନା କରିଛନ୍ତି ଏକାଧିକ ବିରୋଧୀ ଦଳ ।
ଏହା ଏକ ଭବିଷ୍ୟତବାଦୀ ବଜେଟ ନୁହେଁ, ଜନତା ଓ ଗରିବ ବିରୋଧୀ ବଜେଟ ବୋଲି ଏକାଧିକ ରାଜନୈତିକ ଦଳର ମୁଖ୍ୟ କହିଛନ୍ତି । ଆଜିର ଏହି ବଜେଟ ଦେଶରେ ବେକାରୀ ଦୂରୀକରଣ ଦିଗରେ କୌଣସି ସହାୟତା ପ୍ରଦାନ କରିବା ନାହିଁ ବରଂ ଏହାକୁ 2024 ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ପ୍ରସ୍ତୁତ କରାଯାଇଛି । ଏହା ଏକ ଭବିଷ୍ୟତବାଦୀ ନୁହେଁ ବରଂ ନିର୍ବାଚନୀ ବଜେଟ ବୋଲି ଏକାଧିକ ବିରୋଧୀ ଦଳର ନେତା କହିଛନ୍ତି ।
ଆଜିର ବଜେଟରେ କରଦାତାକୁ ମିଳିଥିବା ଆଶ୍ବସ୍ତିକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ‘‘ ଆଜି ବଜେଟରେ 7ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକାରୀଙ୍କୁ ଆୟକର ମୁକ୍ତ କରିବା ନିଷ୍ପତ୍ତି ସମସ୍ତ ବର୍ଗକୁ ସୁଫଳ ଦେଇପାରିବ ନାହିଁ । ଏହି ବଜେଟରେ କୌଣସି ନୂତନ ଆକାଂକ୍ଷା ନାହିଁ । ଏହା ଏକ ଅନ୍ଧକାର ବଜେଟ । ମତେ ଅଧ ଘଣ୍ଟା ସମୟ ଦିଅ, ଗରିବଙ୍କ ପାଇଁ କିପରି ବଜେଟ ପ୍ରସ୍ତୁତ ହେବା ଆବଶ୍ୟକ, ମୁଁ ଦେଖାଇଦେବି ।’’
ସେହିପରି ଅନ୍ୟତମ ଚର୍ଚ୍ଚିତ ବିଜେପି ବିରୋଧୀ ନେତା ଆପ ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ବଜେଟରେ ଦିଲ୍ଲୀକୁ ମିଳିଥିବା ଅନୁଦାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ଷ 2022-23 ରେ ଦିଲ୍ଲୀବାସୀ 1.75 କୋଟି ଟଙ୍କା ଆୟକର ରିଟର୍ଣ୍ଣ ଜମା କରିଥିଲେ ସୁଦ୍ଧା ଚଳିତ ବଜେଟରେ ଦିଲ୍ଲୀ ପାଇଁ ମାତ୍ର 325 କୋଟି ଟଙ୍କାର ବ୍ୟୟବରାଦ ହେବା କେନ୍ଦ୍ରର ପାତରଅନ୍ତର ନୀତି । ସେହିପରି ଚଳିତ ବଜେଟରେ ଦରଦାମ ବୃଦ୍ଧି ଓ ବକାରୀ ହ୍ରାସ ଦିଗରେ କୌଣସି ଧ୍ୟାନ ଦିଆଯାଇନଥିବା ଅଭିଯୋଗ କରିଛନ୍ତି କେଜ୍ରିଓ୍ବାଲ ।