ଦିଲ୍ଲୀ: ଦୀର୍ଘ ୯ ବର୍ଷର ଆଇନଗତ ଯୁଦ୍ଧ ପରେ ଶେଷରେ ମାଟିରେ ମିଶିଲା ନୋଏଡାର ବହୁଚର୍ଚ୍ଚିତ ସୁଉଚ୍ଚ ଅଟ୍ଟାଳିକା ଟ୍ବିନ ଟାୱାର(Noida Supertech Twin Towers Demolished) । ଏହି ୧୦୦ ମିଟର ଉଚ୍ଚ ବେଆଇନ ଟ୍ବିନ ଟାୱାରକୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଧରାଶାୟୀ କରାଯାଇଛି । ରବିବାର ଅପରାହ୍ନ ୨. ୩୦ରେ ମାଟିରେ ମିଶିଛି ଏହି ଟାୱାର । ଏକାଧିକ ନିର୍ମାଣ ସମ୍ପର୍କିତ ନିୟମ ଓ ଅନୁମୋଦନକୁ ଅଣଦେଖା କରି ସମ୍ପୂର୍ଣ୍ଣ ବେଆଇନ ଭାବେ ନୋଏଡାର ସେକ୍ଟର ୯୩A ରେ ଠିଆ ହୋଇଥିଲା ଏହି ଅଟ୍ଟାଳିକା ।
ଏ ନେଇ ଆଲ୍ଲାହାବାଦ ହାଇକୋର୍ଟରେ ବହୁ ଦିନ ଧରି କେସ ଚାଲିଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶେଷରେ ମାଟିରେ ମିଶିଛି ଏହି ଉଚ୍ଚ ଅଟ୍ଟାଳିକା । ରାଜଧାନୀ ଦିଲ୍ଲୀ ନିକଟ ନୋଏଡାସ୍ଥିତ ସେକ୍ଟର ୯୩ ଏ ସୁପରଟେକ୍ ଏମେରାଲ୍ଡ କୋର୍ଟ ହାଉସିଂ ସୋସାଇଟି ମଧ୍ୟରେ ୨୦୦୯ ମସିହାରୁ 'ଆପେକ୍ସ' (୩୨ ମହଲା) ଏବଂ 'ସିଆନ୍' (୨୯ ମହଲା) ଟାୱାର ନିର୍ମାଣଧୀନ ରହିଥିଲା । କୋଠା ଭାଙ୍ଗିବା ପାଇଁ ୩୭୦୦ କି.ଗ୍ରାରୁ ଅଧିକ ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଏପର୍ଯ୍ୟନ୍ତ ଆଖପାଖ ଅଟ୍ଟାଳିକାର କୌଣସି କ୍ଷତି ହୋଇନାହିଁ ।
ପତନ ପରେ ସୁପରଟେକ୍ ଟ୍ବିନ୍ ଟାୱାରରେ ଜମା ହୋଇଥିବା ଧୂଳିର ନିୟନ୍ତ୍ରଣ ପାଇଁ ଆଣ୍ଟି-ସ୍ମଗ୍ ଗନ୍ ବ୍ୟବହାର କରାଯାଇଛି । ନୋଏଡା ସିଇଓ ରିତୁ ମାହେଶ୍ବରୀ କହିଛନ୍ତି, "ନିକଟସ୍ଥ ହାଉସିଂର କୌଣସି କ୍ଷତି ହୋଇନାହିଁ । କିଛି ଆବର୍ଜନା ବର୍ତ୍ତମାନ ରାସ୍ତା ଆଡକୁ ଆସିଛି । ୧ ଘଣ୍ଟା ମଧ୍ୟରେ ପରିସ୍ଥିତି ବିଷୟରେ ସୂଚନା ଦିଆଯିବ । ଏଥିସହ ନୋଏଡା ପୋଲିସ କମିଶନର କହିଛନ୍ତି, "ପୁରା ଯୋଜନା କାର୍ଯ୍ୟକାରୀ ହୋଇଛି ଏବଂ ଟାୱାର ଭାଙ୍ଗିଯାଇଛି । ସେଠାରେ ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ଥିଲା, ଯେଉଁଥିପାଇଁ ସବୁକିଛି ଠିକ୍ ଚାଲିଥିଲା ।"
ଏହା ବି ପଢନ୍ତୁ- ମାଟିରେ ମିଶିଲା ଟ୍ବିନ୍ ଟାୱର୍ସ, ବିସ୍ଫୋରଣ ପାଇଁ ବ୍ୟବହାର ହୋଇଥିଲା ୩୭୦୦ କେଜି ବିସ୍ଫୋରକ