ନୂଆଦିଲ୍ଲୀ:ବର୍ଦ୍ଧିତ ଟମାଟୋ ଦର ଦେଖି ଡରିଗଲା ମ୍ୟାକ୍ ଡୋନାଲ୍ଡ । ଟମାଟୋର ଦର ଲଗାତର ବଢି ଚାଲିଥିବା ବେଳେ ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଆଶ୍ଚର୍ଯ୍ୟଜନକ ଘଟଣା । ଦିଲ୍ଲୀରେ ଥିବା ଦୁଇଟି ମ୍ୟାକ୍ ଡୋନାଲ୍ଡ ଷ୍ଟୋର ସାମ୍ନାରେ ନୋଟିସ ଲଗାଯାଇଥିବା ଦେଖିବାକୁ ମିଳିଛି । "ଟମାଟୋର ଅହେତୁକ ଦର ବୃଦ୍ଧି କାରଣରୁ ଆମେ ବହୁ ପ୍ରଚେଷ୍ଟା ସତ୍ତ୍ବେ ଗ୍ରାହକଙ୍କୁ ଖାଦ୍ୟରେ ଟମାଟୋ ଦେବା ପାଇଁ ଅସମର୍ଥ ରହିଛୁ" ବୋଲି ଏହି ନୋଟିସରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଯାହା ଦେଖିବା ପରେ ସମସ୍ତେ ଏକ ପ୍ରକାର ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ସୁଆଦିଆ ଖାଦ୍ୟ ଯୋଗାଇ ଆସୁଥିବା ଚର୍ଚ୍ଚିତ ବ୍ରାଣ୍ଡ ମ୍ୟାକ୍ ଡୋନାଲ୍ଡର ଏଭଳି ନୋଟିସ ଖବରର ଶିରୋନାମା ପାଲଟିଛି ।
ସାରା ଦେଶରେ ଟମାଟୋର ଅହେତୁକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତାର କାରଣ ସାଜିଛି । ପୂର୍ବରୁ କିଲୋ ପିଛା 20 ଟଙ୍କାରେ ବିକ୍ରି ହେଉଥିବା ଟମାଟୋ ବର୍ତ୍ତମାନ ସେଞ୍ଚୁରୀ ପାର୍ କରିଛି । ଗତ କିଛି ଦିନ ହେବ ଲଗାତର ଭାବେ ଦର ବୃଦ୍ଧି ପାଇବା ସହ କେତେକ ସ୍ଥାନରେ ପାଖାପାଖି 250 ରହିଛି ଟମାଟୋ ଦର । ଖାଲି ଟମାଟୋ ନୁହେଁ, ଏହାକୁ ତାଳ ଦେଇ ଅନ୍ୟାନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି । ସାରା ଦେଶରେ ଟମାଟୋ ତଥା ଅନ୍ୟାନ୍ୟ ପନିପରିବାର ଦର ବୃଦ୍ଧି ଖାଉଟିଙ୍କ ପକେଟ ଖାଲି କରିସାରିଲାଣି । ସାଧାରଣ ଲୋକେ ଅତ୍ୟଧିକ ମୂଲ୍ୟ ଦେଇ ଟମାଟୋ କିଣି ପାରୁନଥିବାରୁ ଏବେ ଅନେକଙ୍କ ଥାଳି ପାଲଟିଛି ଟମାଟୋ ଶୂନ୍ୟ ।