ନୂଆଦିଲ୍ଲୀ/ପାଟନା: ବର୍ତ୍ତମାନ ସମୟରେ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବାର ଆବଶ୍ଯକତା ନାହିଁ । ଯଦି କୌଣସି ଦେଶରେ ଆର୍ଥିକ ଅଭିବୃଦ୍ଧି ଜାରି ରହିଛି, ତେବେ ଜନସଂଖ୍ୟା କୌଣସି ପ୍ରଭାବ ପକାଇବ ପାରିବ ନାହିଁ । ତେଣୁ ଏପରି ସମୟରେ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।
ଆଜି ପାଟନା ଗସ୍ତରେ ଥିବା ସ୍ବାମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନିୟମ ଲାଗୁ କରିବା ବର୍ତ୍ତମାନ ପରିସ୍ଥିତିରେ ଉଚିତ ନୁହେଁ । ବର୍ତ୍ତମାନ ଏହାର ଆବଶ୍ୟକତା ମଧ୍ୟ ନାହିଁ । ଯଦି ଦେଶର ଆର୍ଥିକ ବିକାଶ ନିରନ୍ତର ଜାରିରହିଛି, ତେବେ ଜନସଂଖ୍ୟା ବୃଦ୍ଧି କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ କୌଣସି ଆଇନ୍ ବ୍ୟତୀତ ଲୋକେ ନିଜଆଡୁ ଏହାକୁ ଦୃଷ୍ଟି ଦେବା କଥା । ସେହିପରି ସେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଉଠାଇଥିବା ପଦକ୍ଷେପକୁ ମଧ୍ୟ ମନେ ପକାଇଥିଲେ । ଇନ୍ଦିରା ଗାନ୍ଧୀ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଯେଉଁ ପଦକ୍ଷେପ ହାତକୁ ନେଇଥିଲେ, ତାହା ସଫଳ ହୋଇନଥିଲା । ତେଣୁ ଲୋକେ ଏସମ୍ପର୍କରେ ନିଜ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ସ୍ବାମୀ କହିଥିଲେ ।
ସେହିପରି ସେ ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ବୟାନରେ ମଧ୍ୟ ନିଜର ମତ ରଖିଥିଲେ । ସତ୍ୟପାଲ ମଲ୍ଲିକଙ୍କୁ ଧନ୍ୟବାଦ ଦେଇ ସ୍ବାମୀ ତାଙ୍କୁ ଜଣେ ସାହାସୀ ନେତା ଭାବେ ଚିତ୍ରଣ କରିଥିଲେ । ସତ୍ୟପାଲ ଜଣେ ସାହାସୀ ନେତା ଓ ସେ ପୁଲଓ୍ବାମା ଆକ୍ରମଣ ସମ୍ପର୍କରେ ସତ୍ୟ କହିଛନ୍ତି । ହେଲେ ଏହା ବିଚାର କରାଯିବା ଉଚିତ ନୁହେଁ ଯେ, ସେ ଦେଇଥିବା ପୁଲଓ୍ବାମା ମନ୍ତବ୍ୟ କାରଣରୁ ତାଙ୍କୁ ସିବିଆଇ ସମନ କରିଛି ବୋଲି ସେ କହିଥିଲେ ।