କୋଲକାତା:ପଶ୍ଚିମବଙ୍ଗର ଜଲପାଇଗୁଡିରେ ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଏକାଧିକ ଗ୍ରାମରେ ବସବାସ କରୁଛନ୍ତି ପ୍ରାୟ 10 ହଜାର ଲୋକ । ହେଲେ ସେମାନେ ଭାରତୀୟ ସୀମାରେ ବାସ କରନ୍ତି, ହେଲେ ଏକାଧିକ ମାପଦଣ୍ଡରେ ସେମାନେ ଭାରତୀୟ ନୁହନ୍ତି । ବିଶେଷ କରି ସାମାଜିକ ଅଧିକାରର କଥା ଆସିଲେ ଏମାନେ ଦେଶର ଅନ୍ୟ ନାଗରିକଙ୍କଠାରୁ ପଛରେ । ଏହି ଗ୍ରାମଗୁଡିକ ଦେଶର ରାଜସ୍ବ ମାନଚିତ୍ରରେ ନାହିଁ । ଏହାର କାରଣ ଦୁଇ ଦେଶ ମଧ୍ୟରେ ଥିବା ଜମି ସୀମା ବିବାଦ ଓ ସମାଧାନ ଚୁକ୍ତିନାମା ପ୍ରକ୍ରିୟା ।
ରାସନ କାର୍ଡରେ ନାଁରେ ଅଛି, ମାନଚିତ୍ରରେ ଗାଁ ନାହିଁ
ଏମାନଙ୍କ ନିକଟରେ ଭୋଟର କାର୍ଡ, ରାସନ କାର୍ଡ ଏବଂ ଆଧାର କାର୍ଡ ପରି ପ୍ରମୁଖ ସରକାରୀ ପ୍ରମାଣପତ୍ର ମଧ୍ୟ ରହିଛି । ସେମାନେ ସେମାନଙ୍କ ଜନପ୍ରତିନିଧି ମଧ୍ୟ ନିର୍ବାଚିତ କରିପାରୁଛନ୍ତି । ହେଲେ ସେମାନେ ବସବାସ କରୁଥିବା ଜମି ସେମାନଙ୍କ ନୁହେଁ । ସେମାନେ ଏହାକୁ ବିକ୍ରି କରିପାରିବେ ନାହିଁ, କି କ୍ରୟ ମଧ୍ୟ କରିପାରିବେ ନାହିଁ । 2015ରେ ଭାରତ ବାଂଲାଦେଶ ପରିକ୍ଷେତ୍ର ବିନିମୟ (ଏନକ୍ଲେଭ ଏକ୍ସଚେଞ୍ଜ୍) ବେଳେ ଦକ୍ଷିଣ ବେରୁବାରୀ ଗ୍ରାମ ପଞ୍ଚାୟତର ଏହି 5 ଗ୍ରାମ କାଜାଲଡି, ଚିଲାହାଟି, ବରାଶାଶି, ନାଭାତାରିଡେବଟର ଏବଂ ପାଦନୀ ଭାରତୀୟ ଅଞ୍ଚଳ ହୋଇଥିବା ଦର୍ଶାଯାଇଥିଲା । କିନ୍ତୁ ଦେଶର ରାଜସ୍ବ ମାନଚିତ୍ରରେ ଏହି ଗ୍ରାମ ସମ୍ପର୍କରେ କୌଣସି ରେକର୍ଡ ନାହିଁ ।
ଦକ୍ଷିଣ ବେରୁବରୀ ଅଞ୍ଚଳ ବିବାଦ
ଏହି ସମସ୍ୟା ସ୍ବାଧୀନତା ପରବର୍ତ୍ତୀ ସ୍ଥିତିରେ ଆରମ୍ଭ ହୋଇଥିଲା । ସେତେବେଳେ ପାକିସ୍ତାନ ଦାବି କରିଥିଲା ଯେ ଦକ୍ଷିଣ ବେରୁବରୀ ଅଞ୍ଚଳ ପୂର୍ବ ପାକିସ୍ତାନ (ବର୍ତ୍ତମାନର ବାଂଲାଦେଶ)ର ଅଂଶ ହେବା ଉଚିତ୍ । ପାକିସ୍ତାନର ଏହି ଦାବି ବେରୁବାରୀ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ସେପ୍ଟେମ୍ବର 1958 ପ୍ରାରମ୍ଭରେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଫିରୋଜ ଖାନ ନୁନ୍ଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ହେଲେ ଏହି ଆଲୋଚନା ସମାଧାନ ବାହାର କରିବା ପରିବର୍ତ୍ତେ ମାମଲାକୁ ଅଧିକ ଜଟିଳ କରିଥିବାର କୁହାଯାଏ ।
1958ରେ ନେହେରୁ-ନୁନଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଦକ୍ଷିଣ ବେରୁବାରୀ ଅଞ୍ଚଳ ଭାରତ ଏବଂ ପୂର୍ବ-ପାକିସ୍ତାନ ମଧ୍ୟରେ ବିଭକ୍ତ ହେବ । ତେବେ ଏହି ଚୁକ୍ତିନାମାକୁ ଦକ୍ଷିଣ ବେରୁବାରୀ ବାସିନ୍ଦା ବିରୋଧ କରିଥିଲେ । 1958 ମସିହାରେ ପରିକ୍ଷେତ୍ର ବିନିମୟ(ଏନକ୍ଲେଭ ଏକ୍ସଚେଞ୍ଜ) ପ୍ରକ୍ରିୟା ସ୍ଥଗିତ ରହିବା ସହ ମାମଲା ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଥିଲା । ଭାରତ ସରକାର 1960ରେ ସମ୍ବିଧାନର 9ମ ସଂଶୋଧନରେ ଏହି ପ୍ରକ୍ରିୟାକୁ ଆଗକୁ ବଢାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । 1962 ମସିହାରେ ଚୀନ-ଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା । 1964 ରେ ନେହେରୁଙ୍କ ମୃତ୍ୟୁ ଏବଂ 1965ରେ ପୁଣି ଭାରତ-ପାକିସ୍ତାନ ଯୁଦ୍ଧ ସମେତ ଅନେକ ଘଟଣାବଳି ଏହି ପ୍ରକ୍ରିୟାକୁ ବିଳମ୍ବ କରିଥିଲା ।